ରଥଯାତ୍ରାର ଅନ୍ତିମ ପର୍ବ ‘ନୀଳଦ୍ରିବିଜେ’ ! ରଥାରୁଢ ଶ୍ରୀଜିଉ ଆଜି ଫେରିବେ ନୀଳକନ୍ଦରକୁ

‘ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ

84
କନକ ବ୍ୟୁରୋ : ‘ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ । ଏହି ପର୍ବ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ । କାରଣ ଏହି ଦିନ ଠାକୁରମାନେ ସେମାନଙ୍କର ରତ୍ନସିଂହାସନକୁ ବାହୁଡ଼ିଥାଆନ୍ତି ।  ଏହାର ଗୁରୁତ୍ୱ ହେଉଛି, ସାରା ବର୍ଷରେ ମାତ୍ର ଗୋଟିଏ ଥର, ଠାକୁରମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ିଥାଆନ୍ତି । ସେଇଟି ହେଉଛି ସ୍ନାନପୂର୍ଣ୍ଣିମା । ସେଦିନ ରତ୍ନସିଂହାସନ ଛାଡ଼ି ସ୍ନାନବେଦିକୁ ଯିବା ପରେ, ସେମାନେ ଦୀର୍ଘ ପ୍ରାୟ ଏକ ମାସ ରତ୍ନସିଂହାସନକୁ ଫେରି ନଥାନ୍ତି । ସ୍ନାନ ବେଦିରୁ ସେମାନେ ଅଣସରବେଦିକୁ ଯାଆନ୍ତି ଏବଂ ସେଠି ପ୍ରଥମେ ଅସୁସ୍ଥ ଓ ପରେ ସୁସ୍ଥ ହେବା ପରେ, ନବଯୌବନରେ ଦର୍ଶନ ଦେଇ, ରଥରେ ଚଢ଼ି ଗୁଣ୍ଡିଚା ମନ୍ଦିରକୁ ଚାଲି ଯାଇଥାଆନ୍ତି । ବାହୁଡ଼ାଯାତ୍ରାରେ ଫେରିବା ପରେ, ରଥରେ ସୁନାବେଶ ଓ ଅଧରପଣା ନୀତି ହୁଏ । ଅଧରପଣା ନୀତି ପରେ ଯାଇ ସେମାନେ ଶ୍ରୀମନ୍ଦିରକୁ ଫେରନ୍ତି । ତେଣୁ ଜ୍ୟେଷ୍ଠ ପୂର୍ଣ୍ଣମୀରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ, ଦୀର୍ଘ ପ୍ରାୟ ଏକ ମାସ ବ୍ୟବଧାନରେ ସେମାନେ ରତ୍ନସିଂହାସନକୁ ଫେରନ୍ତି । ଏହା ହେଉଛି ‘ନୀଳାଦ୍ରି ବିଜେ’ ।
ଇତିହାସର ତଥ୍ୟ ଅନୁସାରେ, ଯେତେବେଳେ ଶ୍ରୀମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହେଉଥିଲା, ସେତେବେଳେ ସେବକମାନେ ଠାକୁରମାନଙ୍କୁ ବାରମ୍ବାର ଶ୍ରୀମନ୍ଦିରରୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ନେଇ ଯାଉଥିଲେ । ଆକ୍ରମଣର ଆଶଙ୍କା ଟଳିବା ପରେ ସେମାନଙ୍କୁ ପୁଣି ଶ୍ରୀମନ୍ଦିରକୁ ବାହୁଡ଼ାଇ ଆଣୁଥିଲେ । ତାହା ମଧ୍ୟ ଥିଲା ‘ନୀଳାଦ୍ରିବିଜେ’ । ବିଶିଷ୍ଟ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ନାମରେ ଦୁଇଟି ସୁନ୍ଦର, ଐତିହାସିକ ଉପନ୍ୟାସ ସେହି ଘଟଣାକୁ ନେଇ ଲେଖିଛନ୍ତି ।
‘ଅଦ୍ରି’ର ଅର୍ଥ ‘ପର୍ବତ’ । ‘ନୀଳ’ ସହିତ ଏହା ମିଶି ‘ନୀଳାଦ୍ରି’ ହୋଇଛି । ଏଣୁ ‘ନୀଳାଦ୍ରି’ର ଅର୍ଥ ‘ନୀଳପର୍ବତ’ । ଏହା ମଧ୍ୟ ‘ନୀଳଶୈଳ’ । ଏହା କାହିଁକି ‘ନୀଳଶୈଳ’ ତାହାର ସ୍ୱତନ୍ତ୍ର ତତ୍ତ୍ୱ ଅଛି । ତତ୍ତ୍ୱ ଅନୁସାରେ, ସେହି ନୀଳଶୈଳ ଉପରେ ଶ୍ରୀମନ୍ଦିର ନିର୍ମିତ । ତାହାରି ଗର୍ଭଗୃହ ବା କନ୍ଦରରେ ଥିବା ରତ୍ନବେଦିରେ ଠାକୁରମାନେ ବିରାଜମାନ ଥାଆନ୍ତି । ଏଣୁ ଏହା ସେମାନଙ୍କର ଅତି ପ୍ରିୟ । ସେଇଥିପାଇଁ ‘ସ୍କନ୍ଦ ପୁରାଣ’ରେ ପ୍ରଭୁ ନିଜେ କହିଛନ୍ତି- ଏହି ‘ପ୍ରାସାଦ’ (ମନ୍ଦିର) ଭଗ୍ନ ହେଲେ ମଧ୍ୟ ସେ ଏଠାରେ ବିରାଜମାନ ରହିବେ । ସେଇଥିପାଇଁ ସେହି ପ୍ରିୟ ସ୍ଥାନକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଏତେ ଆନନ୍ଦଦାୟକ ।
ଶ୍ରୀଜଗନ୍ନାଥ ମନ୍ଦିରର ‘ସ୍ୱତ୍ୱଲିପି’ରେ ଏହା ‘ଦ୍ୱାଦଶୀ-ନୀଳାଦ୍ରି ବିଜେ’ ବୋଲି ଉଲ୍ଲେଖ ଅଛି । ସେଥିରେ ଅତି ସ୍ପଷ୍ଟ ଭାବରେ କୁହାଯାଇଛି, “ଏହି ନୀତି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ହୁଏ ।” କିନ୍ତୁ ଏବେ ଅଧରପଣା ନୀତି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ବା ‘ଅଧର ଦ୍ୱାଦଶୀ’ ଦିନ ହେଉଛି । ତାହା ପରେ ତ୍ରୟୋଦଶୀ ବା ଚତୁର୍ଦ୍ଦଶୀ ଦିନ, ବିଧି ଅନୁସାରେ ହେଉଛି ‘ନୀଳାଦ୍ରି ବିଜେ’ । ‘ନୀଳାଦ୍ରି ବିଜେ’ ନୀତିର ଅନେକଗୁଡ଼ିଏ ବିଶେଷତ୍ୱ ରହିଛି । ତାହା ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ସହିତ ଜଡ଼ିତ । ବିଧି ଅନୁସାରେ, ପ୍ରଥମେ ଶ୍ରୀସୁଦର୍ଶନ ଏବଂ ତା’ପରେ ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଯାଇ ରତ୍ନସିଂହାସନରେ ବିଜେ କରନ୍ତି । ଶେଷରେ ଯାଆନ୍ତି ଶ୍ରୀଜଗନ୍ନାଥ । ତାଙ୍କରି ବେଳକୁ ହିଁ ହୁଏ ଯେତେ ସବୁ ଅସୁବିଧା । କାରଣ, ତାଙ୍କୁ ନନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ଚାଲିଯାଇଥିବାରୁ ଦେବୀ ଲକ୍ଷ୍ମୀ ଯେଉଁ ଅଭିମାନ କରିଥାଆନ୍ତି, ସେହି ଅଭିମାନ ଯୋଗୁଁ ହିଁ ଶ୍ରୀଜଗନ୍ନାଥଙ୍କ ପାଇଁ ଦେବୀ ଲକ୍ଷ୍ମୀ ଅସୁବିଧା ସୃଷ୍ଟି କରନ୍ତି । ତାଙ୍କର ମାନଭଞ୍ଜନ ନକରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରବେଶ କରିପାରନ୍ତି ନାହିଁ ।
ଏହା ଏପରି ଏକ ରସପୂର୍ଣ୍ଣ ପ୍ରସଙ୍ଗ ଯେ ଏହାକୁ ନେଇ ଅନେକ ସାହିତ୍ୟ ଆମ ଭାଷାରେ ରଚିତ ହୋଇଛି । ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ଏହା ‘ଲକ୍ଷ୍ମୀ-ନାରାୟଣ ବଚନିକା’ ଭାବରେ ପ୍ରସିଦ୍ଧ । କିନ୍ତୁ ଏହାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂପର୍କ ରହିଛି ‘ଋକ୍ମିଣୀ ବିବାହ’ ନୀତି ସହିତ । ବିଧି ମୁତାବକ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହ ନୀତି ସଂପନ୍ନ ହୋଇଥାଏ । କିନ୍ତୁ ସପ୍ତମଙ୍ଗଳା ନୀତି ହେବା ଓ ବାହା ଗଇଣ୍ଠାଳ ଫିଟିବା ଆଗରୁ, ସ୍ନାନମଣ୍ଡପକୁ ଆସି, ସ୍ନାନ ପରେ ଶ୍ରୀଜଗନ୍ନାଥ ଜରରେ ପଡ଼ନ୍ତି । ଜରରୁ ସୁସ୍ଥ ହୋଇ ଉଠିବା ପରେ ନବଯୌବନରେ ଦର୍ଶନ ଦେଇ ଶ୍ରୀଗୁଣ୍ଡିଚାଯାତ୍ରାରେ ଚାଲିଯାଇଥାଆନ୍ତି । ତେଣୁ ସେହି ବାହାଘରର ଗଇଣ୍ଠାଳ ଫିଟି ପାରିନଥାଏ । ‘ନୀଳାଦ୍ରିବିଜେ’ ଦିନ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ସହିତ ବାହା ଗଇଣ୍ଠାଳ ଫିଟେ । ଏହି ଗଇଣ୍ଠାଳ ଫିଟା ନୀତି ଶ୍ରୀମନ୍ଦିରର ଭଣ୍ଡାରଘର ଦ୍ୱାରଠାରେ, ଲକ୍ଷ୍ମୀ-ନାରାୟଣ ଭେଟ ସମୟରେ କରାଯାଇଥାଏ ।
ବାହା ବେଶରେ ମଦନମୋହନ
ଏହି ନୀତି ସଂପର୍କରେ ଶ୍ରୀମନ୍ଦିର ‘ସ୍ୱତ୍ୱଲିପି’ରେ ଉଲ୍ଲେଖ ଅଛି, “ଦ୍ୱାର ଫିଟି ଠାକୁର ଭଣ୍ଡାରକୁ ଲକ୍ଷ୍ମୀଙ୍କ ପାଖରେ ବିଜେ ହେଲେ, ରୁକ୍ମିଣୀ ବିବାହର ଗଇଣ୍ଠାଳ ଭିତରଛ ମହାପାତ୍ର ଫିଟାନ୍ତି । ବନ୍ଦାପନା ଓ ଭୋଗ ହୁଏ । ଘସା, ବିଡ଼ିଆ ମଣୋହି ପରେ ଠାକୁର ସିଂହାସନକୁ ବିଜେ କରନ୍ତି ।” ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ହେଉଥିବା ‘ଲକ୍ଷ୍ମୀ-ନାରାୟଣ ବଚନିକା’ ଯେପରି ମଧୁର ଦାମ୍ପତ୍ୟ ଲୀଳା, ଏହି ସମୟର ‘ଭୋଗ’ ମଧ୍ୟ ସେହିପରି ଅତ୍ୟନ୍ତ ମଧୁର । କାରଣ ଏହି ଭୋଗ ହେଉଛି, ବର୍ଷକରେ ଶ୍ରୀମନ୍ଦିରରେ ମାତ୍ର ଥରେ ହେଉଥିବା ‘ରସଗୋଲା’ ଭୋଗ ।

Comments are closed.