ସରିବ ମହାପ୍ରଭୁଙ୍କ ଘୋଷଯାତ୍ରା: ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

183

କନକ ବ୍ୟୁରୋ: ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ନଅ ଦିନ ଧରି ଚାଲିଥିବା ରଥ ଯାତ୍ରାରେ ଆଜି ହେଉଛି ଶେଷ ପର୍ବ । ରଥ ଉପରୁ ରତ୍ମ ସିଂହାସନକୁ ବିଜେ କରିବେ ଚତୁର୍ଧାମୂର୍ତି । ଅପରାହ୍ନ ପ୍ରାୟ ୪ଟାରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ନୀଳିଦ୍ରିବିଜେ ପହଁଣ୍ଡିା ରଥ ଉପରେ ଠାକୁରଙ୍କ ସଂଧ୍ୟା ଆଳତୀ ଓ ସଂଧ୍ୟା ଧୂପ ହେବ । ଏହା ପରେ ରଥରେ ବନ୍ଧା ଯିବ ଚାରମାଳ । ପାଳିଆ ସେବକ ସିଂହାସନ ମାଜଣା କରିବେ । ଏହାପରେ ମହାପ୍ରଭୁଙ୍କୁ ପୁଷ୍ପାଂଜଳି ଅର୍ପଣ କରାଯାଇ ଆରମ୍ଭ ହେବ ନୀଳାଦ୍ରିବିଜେ ।

ଆଜି ଅପରାହ୍ନ ୪ଟାରୁ ନୀଳାଦ୍ରିବିଜେ ପହଁଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ । ସେହିପରି ରତ୍ନସିଂହାସନରେ ସଂପନ୍ନ ହେବ ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି । ଚାରମାଳ ଫିଟା ହେବା ପରେ ପ୍ରଥମେ ରଥରୁ ରତ୍ନସିଂହାସନକୁ ବିଜେ କରିବେ ପ୍ରଭୁ ସୁଦର୍ଶନ । ଏହା ପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ରହିଛି । ନୀଳାଦ୍ରିବିଜେରେ ରହିଛି ସବୁଠାରୁ ରୋଚକ ଲକ୍ଷ୍ମୀନାରାୟଣ କଳି । ଜଗନ୍ନାଥ ରଥ ଯାତ୍ରାରୁ ଫେରିବା ସମୟରେ ମାଆ ମହାଲକ୍ଷ୍ମୀ ମନ୍ଦିର କବାଟ ଖୋଲିବେ ନାହିଁ । ଏହାକୁ ନେଇ ମହାଲକ୍ଷ୍ମୀଙ୍କୁ ମନାଇବେ କାଳିଆ ଠାକୁର । ଶେଷରେ ରସଗୋଲା ଦେଇ ମାନଭଂଜନ କରିବେ । ନୀଳିଦ୍ରିବିଜେ ପରେ ଶ୍ରୀମନ୍ଦିରରୁ ବାହାରିବ ନୀଳଚଳ ଅବଢା । ଯାହାକୁ ପ୍ରତ୍ୟକ ଭକ୍ତ ଅପେକ୍ଷା କରି ରହିଥାନ୍ତି ।