ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଗଲେ ମହାବାହୁ… ବର୍ଷେ ପରେ ପୁଣି ବଡଦାଣ୍ଡକୁ ଆସିବ କାଳିଆ । ନୀଳକନ୍ଦରକୁ ଯିବା ବେଳେ ଟାହିଆ ହଲେଇ ହଲେଇ ଭକ୍ତଙ୍କୁ ଜଗା କହୁଥିଲା, ଅପେକ୍ଷା କର ମୁଁ ପୁଣି ଆସିବି ଆର ବର୍ଷକୁ…

311

କନକ ବ୍ୟୁରୋ: କରୋନା କଟକଣା ଭିତରେ ବଡଦାଣ୍ଡକୁ ଆସି ପୁଣି ବଡଦେଉଳକୁ ଫେରିଗଲେ ମହାବାହୁ । ଭାଇ ଭଉଣୀଙ୍କୁ ଘେନି ନବଦିନାତ୍ମକ ଯାତ୍ରା ସାରି ପୁଣି ରତ୍ନସିଂହାସନରେ ବିରାଜିଛନ୍ତି କାଳିଆ ସାଆନ୍ତ । କରୋନା କଟକଣା ପାଇଁ କାଳିଆକୁ ଦେଖି ପାରୁନଥିଲା ଭକ୍ତ । ଶ୍ରୀମନ୍ଦିର ବନ୍ଦ ଥିବାରୁ ବଡଦାଣ୍ଡରେ ଭଗବାନଙ୍କୁ ଝୁରୁଥିଲା ଭକ୍ତ । ଆଉ ୟାରି ଭିତରେ ଭକ୍ତଙ୍କ ମନ ବୁଝି ବଡଦେଉଳରୁ ବାହାରି ସାରା ବିଶ୍ୱକୁ ଦର୍ଶନ ଦେଇଥିଲେ ଚକାଆଖି । ଆଉ ମହାବାହୁଙ୍କୁ ଦେଖି କୃତ୍ୟକୃତ୍ୟ ହୋଇଥିଲା ମନ ।

ରଥଯାତ୍ରା ହେବ କି ନାହିଁ ଏହି ଦ୍ୱନ୍ଦ ଭିତରେ ବିଶ୍ୱର ସୁପ୍ରିମ ଭଗବାନ ସୁପ୍ରିମକୋର୍ଟଙ୍କ ଜରିଆରେ କଟକଣା ଭିତରେ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ । ଆଉ ଭାବବିହ୍ୱଳ ହୋଇ ଭକ୍ତ ଏହା କାଳିଆର ଲୀଳା କହି ତା ଆଗମନୀକୁ, ତା ଗୁଣ୍ଡିଚାଯାତକୁ ଅନେଇ ରହିଥିଲା । ଶେଷରେ ରଥଯାତ୍ରା ଦିନ ଟାହିଆ ହଲେଇ ହଲେଇ ଆସିଥିଲେ ମହାବାହୁ ଆଉ ଭକ୍ତଙ୍କୁ ପଚାରିଥିଲେ ହୋ ଭକତେ କେମିତି ଅଛ…? କାଳିଆ କଟକଣା ତ ଟାଣିଥିଲା ହେଲେ ଭକ୍ତଶୂନ୍ୟ ବଡଦାଣ୍ଡ ଦେଖି ଭିତରେ ଭିତରେ କାନ୍ଦିଥିଲା । ଆଉ ଖାଁ ଖାଁ ବଡଦାଣ୍ଡରେ ତା ପ୍ରିୟ ଭକ୍ତଙ୍କୁ ଖୋଜିଥିଲା । ଘୋଷଯାତ୍ରାଠୁ ବାହୁଡା, ସୁନାବେଶଠୁ ଅଧରପଣା । ନୀଳାଦ୍ରୀବିଜେ ଦିନ ବି ଭକ୍ତଙ୍କୁ ନପାଇ ଭାରି ମନ ଦୁଃଖ କରିଥିଲା କାଳିଆ ।

ଶେଷରେ ରଥଯାତ୍ରାର ସବୁନୀତିକାନ୍ତି ସାରି ଆଜି ନୀଳକନ୍ଦରକୁ ବାହୁଡିଯାଇଛନ୍ତି ପ୍ରଭୁ ଜଗନ୍ନାଥ । ସିଂହଦ୍ୱାର ସାମ୍ନାରେ ପତ୍ନୀଙ୍କୁ ମିଠା ଦେଇ ମାନଭଞ୍ଜନ କରିବା ପରେ ଦେଉଳକୁ ପ୍ରବେଶ କରିଛନ୍ତି ଦାରୁଦେବତା । ତେବେ ଶ୍ରୀମନ୍ଦିର ଯିବା ବେଳେ ଜଗା ଟାହିଆ ହଲେଇ ହଲେଇ ତା ଭକ୍ତଙ୍କୁ କହୁଥିଲା, ଅପେକ୍ଷା କର ମୁଁ ପୁଣି ଆସିବି ଆର ବର୍ଷକୁ… । ସେପଟେ ଭକ୍ତ ଲକଡାଉନ ନଫିଟିବା ଯାଏଁ ତା ସାଆନ୍ତକୁ ଦେଖି ପାରିବନି ବୋଲି ଆଖି ଛଳଛଳ କରିଥିଲା । ଆଉ କହୁଥିଲା ଜଗାରେ ତୁ ଯାଆନା…