କେମିତି ଅଛି ବଡଦେଉଳ ନୀଳଚକ୍ରର ସ୍ଥିତି ? ଡ୍ରୋନ୍ ମାଧ୍ୟମରେ ନୀଳଚକ୍ର ସ୍ଥିତି ଅନୁଧ୍ୟାନ କରିବ ଏଏସଆଇ ।

120

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ଫନି’ ପରେ ଶ୍ରୀମନ୍ଦିରର ନୀଳଚକ୍ର କେମିତି ଅଛି, ତାହା ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଙ୍ଗଳବାର ସନ୍ଧ୍ୟାରେ ନିଷ୍ପତ୍ତି ହୋଇଛି । ମାତ୍ର ଶ୍ରୀମନ୍ଦିର ଉପରକୁ ଚଢ଼ି ସିଧାସଳଖ ‘ନୀଳଚକ୍ର’ର ସ୍ଥିତି ଅନୁଧ୍ୟାନ କରାଯିବ ନାହିଁ ବୋଲି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି, ନୀଳଚକ୍ରର ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ଡ୍ରୋନ ବ୍ୟବହାର ହେବ । ଡ୍ରୋନରୁ ଉଠାଯାଇଥିବା ଫଟୋ ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରାଯିବ । ଡ୍ରୋନକୁ ପରିଚାଳନା କରିବା ପାଇଁ ଏହି କାମ ପାଇଁ ନିୟୋଜିତ ହେବାକୁ ଥିବା ସଂପୃକ୍ତ ଅଧିକାରୀଙ୍କୁ ପରିଚୟପତ୍ର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ବାତ୍ୟାରେ ଭାଙ୍ଗି ଯାଇଥିବା ଜୟବିଜୟ ମୂର୍ତ୍ତି ପଥରରେ ନିର୍ମିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ବାତ୍ୟାରେ ମୁଖ୍ୟ ମନ୍ଦିରର ସିଂହ ମୂର୍ତ୍ତି ଭାଙ୍ଗି ଯାଇଥିବାରୁ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବାତ୍ୟା ପୂର୍ବରୁ ଭାରା ଖୋଲାଯାଇ ନଥିବାରୁ ସିଂହ ମୂର୍ତ୍ତି ଭାଙ୍ଗିଯାଇଛି । ଏଏସଆଇ ପକ୍ଷରୁ ଭାରା ଖୋଲା ନଯିବା ଘଟଣା ନେଇ କ୍ଷମା ମଗାଯାଇଛି ।