ଥିଲାବାଲାଙ୍କ ପାଇଁ ନୁହେଁ, ନଥିଲା ବାଲାଙ୍କ ପାଇଁ ଟିଫିନ୍ ଷ୍ଟଲ୍ । ଯେଉଁଠି ଲାଗେ ଭୋକିଲା ପେଟଙ୍କ ଭିଡ ।

1,404

କନକ ବ୍ୟୁରୋ: ଭୋକିଲା ପେଟ, ଅଭାବର ଆଖି, ଆଶାର ଚାହାଣୀ- କିଏ ଜଣେ ଆସିବ ଗଣ୍ଡେ ଖାଇବାକୁ ଦେବ । ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ଉପରେ ନିର୍ଭର କରି ରୁହନ୍ତି । ସେମାନଙ୍କ ହାତକୁ ଅନେଇ ରହିଥାନ୍ତି । କିନ୍ତୁ ଆଜିର ଏ ସ୍ୱାର୍ଥପର ସମାଜରେ କିଏ ବା କାହାକୁ ସାହାଯ୍ୟ କରିବ । ଏଠି ଆପେ ବଞ୍ଚିଲେ ବାପର ନାଁ । ତେଣୁ କିଏ କାହାକୁ ପଚାରିବ, କାହା କଥା ବୁଝିବ… ହେଲେ ଏ ସମାଜରେ ବି କିଛି ହୃଦୟବାନ, ମାନବିକତାପୂର୍ଣ୍ଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗରିବଙ୍କ ଦୁଃଖ, ଅଭାବୀଙ୍କ କଷ୍ଟକୁ ବୁଝିପାରନ୍ତି । ସେମାନଙ୍କ ପେଟର ଭୋକକୁ ମାପି ପାରନ୍ତି । ଆଉ ସେମାନଙ୍କ ମୁହଁରେ ଦାନା ଦେବାକୁ ଆଗେଇ ଆସନ୍ତି…

ସକାଳ ହେବା କ୍ଷଣି ଏହି ଟିଫିନ ଷ୍ଟଲ୍ ପାଖେ ଲାଗେ ଭୋକିଲା ପେଟମାନଙ୍କ ଭିଡ । ପଇସା ଦେଇ ନୁହେଁ ବରଂ ଏଠି ମାଗଣାରେ ମିଳେ ଖାଦ୍ୟ । ଏ ଟିଫିନ୍ ଷ୍ଟଲ୍ ଥିଲାବାଲାଙ୍କ ପାଇଁ ନୁହେଁ ବରଂ ନଥିଲା ବାଲାଙ୍କ ପାଇଁ । ଯେଉଁମାନେ ଗରିବ, ଅଭାବୀ, ଅସହାୟ, ସେମାନଙ୍କ ପାଇଁ ଜଳଖିଆ ଦୋକାନ । ଯେଉଁଠି ସେମାନେ ମାଗଣାରେ ପେଟପୂରା ଖାଇପାରିବେ । ଆଉ ଖାଉଛନ୍ତି ମଧ୍ୟ ।

ସମାଜରେ ମିଲ୍ ଟେ ମିଳିବା ଦୂରର କଥା ସାମାନ୍ୟ ଟିଫିନଟେ ଯୋଗାଡ କରିବା ଅନେକଙ୍କ ପାଇଁ କାଠିକର ହୋଇପଡୁଛି । ଆଉ ଏତିକି ବେଳେ ଅସହାୟଙ୍କ ଭୋକ ବୁଝି ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି ଭଦ୍ରକ କୁଆଁସ ଗାଁର ନୀଳ ସରସ୍ୱତୀ ହେଲ୍ପ ଲାଇନ । ଖାଲି ଖାଦ୍ୟ ନୁହେଁ ସମାଜରେ ଅବହେଳିତ, ଅସହାୟମାନଙ୍କୁ ଲୁଗାପଟା ମଧ୍ୟ ଯୋଗାଇ ଦିଏ ଏହି ସଙ୍ଗଠନ । ଦିବ୍ୟାଙ୍ଗଙ୍କୁ ସାହାଯ୍ୟ ହେଉ କି ରାସ୍ତାଘାଟରେ ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କୁ ବିଭିନ୍ନ ସମୟରେ ସହଯୋଗ କରି ପ୍ରଶଂସା ସାଉଁଟିଛନ୍ତି ।

ତେବେ ସମାଜରେ ଯୁବପିଢି ଯେତେବେଳେ ପଥଭ୍ରଷ୍ଟ ହୋଇ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଠିକ ସେତେବେଳେ ନୀଳ ସରସ୍ୱତୀ ହେଲ୍ପ ଲାଇନ ସଙ୍ଗଠନର ଯୁବବର୍ଗ ଏ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।