ନିଦ ହଜାଇଲା ନିଜାମୁଦ୍ଦିନ ! ଓଡିଶାରୁ କେତେ ଯାଇଥିଲେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶ ? ଫେରନ୍ତାଙ୍କୁ ଖୋଜୁଛି ପୋଲିସ, ଚିହ୍ନଟ ପାଇଁ ତନାଘନା ଆରମ୍ଭ

1,340

କନକ ବ୍ୟୁରୋ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିିଙ୍କୁ ଚିହ୍ନଟ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ତବଲିଗି-ଇ-ଜମାତ ଧାର୍ମିକ ସମ୍ମିଳନୀରେ କିଛି ଓଡିଆ ସାମିଲ ହୋଇଥିଲେ । ତେବେ ଏହି ସମ୍ମିଳନୀରେ ସାମିଲ ହୋଇଥିବା ଅନେକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ମିଳିବା ପରେ ଏମାନଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ । ତେବେ ଏହି ସମାବେଶରେ ଯୋଗ ଦେଇ ଫେରିଥିବା ଜଣଙ୍କୁ ଚିହ୍ନଟ କରିଛି କେନ୍ଦ୍ରାପଡ଼ା ପ୍ରଶାସନ । ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଏହା ସହ ପରିବାର ଲୋକଙ୍କୁ ହୋମ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀରୁ ଫେରିବା ପରେ ଏହି ବ୍ୟକ୍ତିମାନେ କେଉଁଠିକୁ ଯାଇଥିଲେ ଓ କାହା କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ଅନୁସନ୍ଧାନ ଜାରି ରହିଛି । ଯାଜପୁର, କେନ୍ଦ୍ରାପଡା, କାକଟପୁର ଓ କୋରାପୁଟରେ ପ୍ରଶାସନ ତନାଘନା ଚଳାଇଛି । କାକଟପୁର ଅଂଚଳରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ନେଇ ପ୍ରଶାସନ ସହ ଆଲୋଚନା ଚଳାଇଛନ୍ତି ।

ନିଜାମୁଦ୍ଦିନ ଧାର୍ମିକ ସମାବେଶରେ କୋରାପୁଟ ଜିଲ୍ଲାରୁ ୨ ଜଣ ଯୋଗ ଦେଇଥିବା ନେଇ ସୂଚନା ମିଳିବା ପରେ ସେମାନଙ୍କ ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ସେହିପରି ଧାର୍ମିକ ସମାବେଶରୁ ଫେରିଥିବା ଜଣେ ପ୍ରତିନିଧିଙ୍କୁ ଯାଜପୁରରୁ ଚିହ୍ନଟ କରାଯାଇଛି । ବିଂଝାରପୁର ଅଂଚଳର ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି

ସେପଟେ ଭିଡିଓ କନଫରେନସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟଶାସନ ସଚିବ ଓ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ । ଧାର୍ମିକ ସମାବେଶରେ ଯୋଗ ଦେଇଥିବା ବ୍ୟକ୍ତି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶ ସ୍ଥଳରେ ଥିବା ୨୩୬୧ ଲୋକଙ୍କୁ ବାହାର କରି ଦିଆଯାଇଛି । ସମସ୍ତଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଲକ୍ଷଣ ଦେଖା ଯାଉଥିବା ୬୧୭ ଜଣଙ୍କୁ ଭସପିଟାଲରେ ଭର୍ତ୍ତି କରାଯାଇଛି ।