ନର୍ସ ନିହାରିକାଙ୍କ ହତ୍ୟାକାଣ୍ଡ ନେଇ ସସପେନ୍ସ ଜାରି । ହତ୍ୟାକାରୀକୁ ନେଇ ତନାଘନା, ୬ ଜଣକୁ ରାତିଅଧିଆ ଉଠାଇଆଣିଲା ପୋଲିସ ।

978

କନକ ବ୍ୟୁରୋ : କଟକର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ଷ୍ଟାଫ ନର୍ସଙ୍କ ହତ୍ୟାକାଣ୍ଡ ମାମଲା । ବିରିଡି ଥାନା ପୁଲିସ ହାଜିପୁର ଅଂଚଳରୁ ଗତକାଲି ୬ ଜଣଙ୍କୁ ଉଠାଇ ଆଣିଛି । ଥାନାରେ ଅଟକ ରଖି ୬ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ପୁଲିସ । ସନ୍ଦିଗ୍ଧଙ୍କୁ ଜେରା କରିବା ପରେ ହତ୍ୟାକାଣ୍ଡର କାରଣ ଓ କିଏ କାହିଁକି ଷ୍ଟାଫ ନର୍ସ ନିହାରୀକାଙ୍କୁ ହତ୍ୟାକଲା ତାହା ଜଣାପଡିବ ବୋଲି ଆଶା କରାଯାଉଛି ।

ଗତକାଲି ଜଗତସିଂହପୁର କୂଳକଇଜଙ୍ଗା ନିକଟ ବିଲୁଆଖାଇ ନଈରୁ ଏକ ଅଖାରେ ହାତଗୋଡ ବନ୍ଧା ଅବସ୍ଥାରେ ନିହାରିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମିଳିଥିବା ମୃତଦେହ ନିହାରୀକାର ବୋଲି ତାଙ୍କ ମାଆ ଚିହ୍ନଟ କରିଛନ୍ତି । ତେବେ ଦୀର୍ଘ ସମୟ ଧରି ପାଣିରେ ଭାସିଥିବାରୁ ମୃତଦେହ ନିହାରିକାର ନା ନୁହେଁ ତାହା ସ୍ପଷ୍ଟ ହେବାକୁ ପୁଲିସ ଡିଏନଏ ଟେଷ୍ଟ କରିପାରେ ବୋଲି ସୂଚନା ମିଳିଛି ।

ମୃତଦେହ ମିଳିବା ପରେ ତନାଘନା ଚଳାଇ ପୁଲିସ ଗତକାଲି ହାଜିପୁର ଅଂଚଳରେ ରାତି ଅଧିଆ ଚଢାଉ କରି ୬ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଛି । ଷ୍ଟାଫ ନର୍ସ ନିହାରୀକାଙ୍କୁ କଟକରେ ହତ୍ୟା କରିବା ପରେ ମୃତଦେହକୁ ଏକ ଅଖାରେ ଭର୍ତି କରି ଭସାଇ ଦେଇଥିବା ସନ୍ଦେହ କରାଯାଉଛି ।