କନକ ବ୍ୟୁରୋ : ପଶ୍ଚିମା ଝଡ ପ୍ରଭାବରେ ୧୬ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ୨୪ଘଣ୍ଟା ପରେ ୩ରୁ ୫ଡିଗ୍ରି ଯାଏଁ ବଢିବ ରାତି ତାପମାତ୍ରା । ରାତି ତାପମାତ୍ରା ବୃଦ୍ଧି ପାଇଁ ରାଜ୍ୟରେ କମିବ ଶୀତର ପ୍ରକୋପ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଫୁଲବାଣୀରେ ୭ ଡିଗ୍ରି ଓ ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ୭ ଡିଗ୍ରି ରେକର୍ଡ ହୋଇଛି । ‌କିରେଇରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଜି. ଉଦୟଗିରିରେ ମଧ୍ୟ ୭.୫ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି ।

Advertisment

ଝାରସୁଗୁଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ଶୀତ ପ୍ରକୋପ ବଢ଼ିଥିଲା। ଗତ ୨୪ ଘଣ୍ଟାରେ ଗୋପାଳପୁର ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରି ଯାଏ ଖସିଥିବ‌ା ବେଳେ ନୟାଗଡ଼ରେ ୩ ଡିଗ୍ରି, ବାଲେଶ୍ବରରେ ୨.୪ ଡିଗ୍ରି, ଭୁବନେଶ୍ବରରେ ୨.୩ ଡିଗ୍ରି ଓ କଟକରେ ୧.୯ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦସ୍ତରରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ୨ ଦିନ ରାଜ୍ୟରେ ଏହି ଭଳି ଶୀତ ଲାଗିରହିବ ଏହାପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ଯାଏ ବୃଦ୍ଧିପାଇବ ଓ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ପଶ୍ଚିମା ଝଡ଼ର ପ୍ରଭାବରେ ୧୬ ତାରିଖରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ୪ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। କିନ୍ତୁ ୧୭ ତାରିଖରୁ ପୁଣି ରାଜ୍ୟରେ ପାଗ ଶୁଖିଲା ରହିବ ।

କେନ୍ଦ୍ର ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟାରେ କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାଠାରୁ ରାଜ୍ୟର ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ବିରାଟ ବ୍ୟବଧାନ ଦେଖିବାକୁ ମିଳିଛି । ଝାରସୁଗୁଡ଼ାଠାରେ ଏହି ତାରତମ୍ୟ ସର୍ବଧିକ ଦେଖିବାକୁ ମିଳିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬.୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି । ସେହିଭଳି ଭବାନୀପାଟଣାରେ ୫.୯ ଡିଗ୍ରି, ବଲାଙ୍ଗୀରଠାରେ ୪.୯ ଡିଗ୍ରି, ବାଲେଶ୍ବର ଓ ଫୁଲବାଣୀଠାରେ ୪.୮ ଡିଗ୍ରି, ଭୁବନେଶ୍ବରଠାରେ ୪.୮ ଡିଗ୍ରି ଓ କଟକଠାରେ ୩.୭ ଡିଗ୍ରି ଲେଖାଏ ତାପମାତ୍ରା ସ୍ବାଭାବିକ ସର୍ବନିମ୍ନ ତାପମାତ୍ରାଠାରୁ କମ୍‌ ରହିଛି । ଦୁଇ ଦିନ ପରେ ଧୀରେ ଧୀରେ ତାପମାତ୍ରା ବଢ଼ିବ ଓ ଶୀତ କମିବ । ଆସନ୍ତା ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ। ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।