ରାଜ୍ୟରେ ତଳକୁ ଖସୁଛି ପାରଦ, ବଢୁଛି ଥଣ୍ଡା । କନ୍ଧମାଳରେ ସର୍ବନୀମ୍ନ ତାପମାତ୍ରା ରେକର୍ଡ

164

ରାଜ୍ୟରେ ରାତି ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଉଭୟ ସମତଳ ଓ ପାହାଡ଼ିଆ ଅଞ୍ଚଳ ବର୍ଗରେ କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସୂଚନାଯୋଗ୍ୟ‌, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଦୁଇ ବର୍ଗ(ସମତଳ ଓ ପାହାଡ଼ିଆ)‌ରେ ତାପମାତ୍ରା ରେକର୍ଡ କରାଯାଇଥାଏ। ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୫ଡିଗ୍ରି ଓ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହାଛଡ଼ା ଓଡ଼ିଶା ମଧ୍ୟକୁ ପ୍ରବାହିତ ହେଉଥିବା ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ମୁଖ୍ୟତଃ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାର ରାତ୍ରି ତାପମାତ୍ରା ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ସେହିଭଳି ଉପକୂଳର କିଛି ଜିଲ୍ଲାରେ ମଧ୍ୟ ୦.୫ରୁ ୧ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଘଟିଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନ ଥିବାରୁ ଆସନ୍ତା ୪ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ୫ମ ଦିନ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା‌‌‌ରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷାର ସମ୍ଭାବନା ରହିଛି।

କ୍ରମାଗତ ଭାବେ ଓଡ଼ିଶା ଭିତରକୁ ଶୁଷ୍କ ଓ ଥଣ୍ଡା ବାୟୁ ଉତ୍ତର-ପଶ୍ଚିମ ଦିଗକୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ ଡିଗ୍ରି ତଳକୁ ଖସିବ। ଭୁବନେଶ୍ବର ଓ କଟକରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଖରାଟିଆ ଓ ଶୁଖିଲା ରହିବ। ସକାଳେ ହାଲୁକା କୁହୁଡ଼ି ରହିବା ସହ ରାତ୍ରି ତାପମାତ୍ରା ୧୮ରୁ ୨୦ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।