କନକ ବ୍ୟୁରୋ: ଶୂନଶାନ ରାସ୍ତା, ଚାରିଆଡେ କୁହୁଡିର ବଳୟ ଆଉ ମଝିରେ ମଝିରେ ଦେହ ଥରାଇ ଦେଲା ଭଳି ଦଲକାଏ ପବନ । ‘ଶୀତ ରାତି’ କହିଲେ ହୁଏତ ଏମିତି କିଛି ଝାପ୍ସା ଝାପ୍ସା ଚିତ୍ର ମନରେ ଆଙ୍କି ହୋଇଯାଏ । ଅନ୍ଧାରକୁ ଓଦା କମ୍ବଳ ଘୋଡାଇ ଦେଉଥିବା ଦୁଷ୍ଟ କୁହୁଡିର କଥା ମନେ ପଡେ । ତେବେ ଶୀତୁଆ ରାତିରେ କେମିତି ଶୋଇଛି ଶ୍ରୀକ୍ଷେତ୍ର? ଉଚ୍ଛେଦ ପରେ ଅଧରାତିରେ କେମିତି ଦିଶୁଛି ବଡ ଠାକୁରଙ୍କ ବଡଦାଣ୍ଡ...?
ସଞ୍ଜ ନଇଁଲେ କୁହୁଡି ଆସୁଛି... ରାତି ବଢିଲେ ମନ ମୋହୁଛି । କାଳିଆ ଧାମରେ ରାତି ସହ କ୍ରୀଡା କରୁଥିବା କୁହୁଡି ଆଉ ତା ଭିତରେ ଷ୍ଟ୍ରିଟ ଲାଇଟର ତୋଫା ଆଲୁଅ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ଏମିତି ଲାଗୁଛି ପୁରୀ ଆକାଶରୁ ତାରାମାନେ ଯେମିତି ତଳକୁ ଓହ୍ଲାଇ ଆସି କାଳିଆ ସାଆନ୍ତକୁ ମୁଣ୍ଡିଆ ମାରୁଛନ୍ତି ।
ସେପଟେ ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ହେବା ପରେ ବଡଦାଣ୍ଡ ଫର୍ଚ୍ଚା ଫର୍ଚ୍ଚା ଦିଶୁଛି । ଦୂର ଦୂର ପର୍ଯ୍ୟନ୍ତ ନିରବତା ରାଜୁତି କରୁଥିବା ବେଳେ କାଁ ଭାଁ ଗାଡି ମଟରର ଶବ୍ଦ ରାତିର ନିସ୍ତବ୍ଦତାକୁ ଚିରି ପକାଉଛି । ତେବେ ବଡଦାଣ୍ଡରେ ନୂଆ କରି ଲାଗିଥିବା ଗଛ ଦିନରେ ଯେତିକି ସୁନ୍ଦର ଦିଶନ୍ତି ରାତିରେ ସେତିକି ଗମ୍ଭୀର ହୋଇପଡନ୍ତି । ମୁଣ୍ଡ ଟେକି ମନ୍ଦିରକୁ ଚାହିଁଥିବା ଫୁଲଗଛ ସବୁ ବଡ ଗଛର ପତର ଫାଙ୍କରୁ ପ୍ରଭୁଙ୍କୁ ଦେଖନ୍ତି, ବଡ ଦେଉଳର ପତିତ ପାବନକୁ ହାତଟେକି ଦର୍ଶନ କରନ୍ତି...
ରାତି ଯେତିକି ସରି ସରି ଆସେ ଶ୍ରୀକ୍ଷେତ୍ରକୁ ସଜାଇବାକୁ ସେତିକି ସେତିକି କସରତ ଆରମ୍ଭ ହୁଏ । ବଡି ଭୋରରୁ ବଡଦାଣ୍ଡରେ ସଫେଇ କାମ ଆରମ୍ଭ ହେବା ସହ ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଜାକିଜୁକି ଶୋଇଥିବା ଭକ୍ତ ବି ଉଠିପଡେ । ଆଉ ଫୁଲଧରି ସିଙ୍ଘଦ୍ୱାର ସାମ୍ନାରେ ହାଜର ହୋଇଯାଏ...ବାସ୍ ତାପରେ ସରିଯାଏ ରାତି, ଉଇଁଯାଏ ସକାଳ । ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ଭିତରେ ଅପେକ୍ଷା ଥାଏ ଆଉ ଏକ ରାତିକୁ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/10-5.jpg)
/kanak/media/post_attachments/wp-content/uploads/2019/12/5-9.jpg)
/kanak/media/post_attachments/wp-content/uploads/2019/12/Screen-Shot-2019-12-23-at-10.16.42-PM.png)