କନକ ବ୍ୟୁରୋ: ଚାଷ ଓ ଚାଷୀକୁ ନେଇ ସବୁବେଳେ ଚର୍ଚ୍ଚାରେ ବରଗଡ଼ ଜିଲ୍ଲା । ଏମିତି କି ଚାଷ ପାଇଁ ଓଡ଼ିଶାର ଭାତହାଣ୍ଡି ମଧ୍ୟ କୁହାଯାଏ ବରଗଡ଼ ଜିଲ୍ଲାକୁ । ଧାନଠୁ ଆରମ୍ଭ କରି ପନିପରିବା ଚାଷ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ ଏ ଜିଲ୍ଲା । ସେଥି ମଧ୍ୟରୁ ଏବେ ବରଗଡ଼ ଜିଲ୍ଲାର ବାରର୍ହାଗୁଡା ପନିପରିବା ମାର୍କେଟ ବେଶ ଚର୍ଚ୍ଚିତ କାରଣ ଏହି ମାର୍କେଟ ରାତିରେ ଆରମ୍ଭ ହୁଏ ଦିନରେ ସରିଯାଏ । ଏହି ମାର୍କେଟର ଚାହିଦା ଏତେ ରହିଛି ଯେ ରାଜ୍ୟ ତଥା ରାଜ୍ୟ ବାହାରୁ ଧାଇଁ ଆସନ୍ତି ବ୍ୟବସାୟୀମାନେ ।

Advertisment

ବରଗଡ ସହର ଠାରୁ ମାତ୍ର ୫ କିଲୋମିଟର ଦୂର ବାରର୍ହାଗୁଡାରେ ବସେ ଏମିତି ହାଟ । ଯେଉଁଠି ସଂଜ ନଇଁଲେ ଜମେ ଚାଷୀ ଓ ବ୍ୟବସାୟୀଙ୍କ ଭିଡ । ପନିପରିବା ଧରି ହାଟକୁ ଚାଲିଆସନ୍ତି ଚାଷୀ । ଆଉ ଏଠାରୁ ପରିବା କିଣି ବାହାର ବଜାରରେ ବିକିବା ପାଇଁ ଜମେ ବେପାରୀଙ୍କ ଭିଡ । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ହାଟରୁ ରାଜ୍ୟର ବିଭିନ୍ନ ସହର ସମେତ ପଡୋଶୀ ରାଜ୍ୟ ଛତିଶଗଡକୁ ପନି ପରିବା ରପ୍ତାନୀ ହୁଏ । ଛତିଶଗଡର ରାୟପୁର, କଲିକତା ସମେତ ଓଡିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଟିଟିଲାଗଡକୁ ଟମାଟୋ, ବନ୍ଧାକୋବି, କଖାରୁ, ବାଇଗଣ, ଲଙ୍କା, ଆଳୁ, ପିଆଜ ଭଳି ପରିବା ହୋଲସେଲ ମୂଲ୍ୟରେ ପଠାଯାଏ ।

୩୦ ବର୍ଷ ହେଲା ରାତିରେ ବସୁଛି ହାଟ । ଆଉ ଏ ବଜାରରୁ ନିୟନ୍ତ୍ରଣ କରୁଛି ଗାଁ କମିଟି । ଚାଷୀ ଓ ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ରହଣୀ ପାଇଁ ଘର, ଶୌଚାଳୟ, ବିଜୁଳି ଆଦି ସୁବିଧା ସୁଯୋଗ ଯୋଗାଇ ଦେଇଛି ଗ୍ରାମ୍ୟ କମିଟି । ଆଉ ଟେଣ୍ଡର ଜରିଆରେ ଟିକସ ଆଦୟ କରାଯାଏ । ଟିକସ ଅର୍ଥରେ ଗାଁର ବିକାଶ ମୂଳକ କାମ କରାଯାଏ ।