ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁର ସମୟ: ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏଁ ଜାରି ରହିବ କଟକଣା; ସବୁ ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀଙ୍କ ସହ ଶିଳ୍ପ କାରଖାନାର କର୍ମଚାରୀ ବି ରହିବେ କଟକଣା ମୁକ୍ତ

1,132

କନକ ବ୍ୟୁରୋ: ରାଜ୍ୟରେ କୋହଳ ହେଲା ରାତ୍ରୀକାଳୀନ କର୍ଫ୍ୟୁ । ରାତି ୭ଟା ପରିବର୍ତ୍ତେ ଏବେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ନାଇଟ୍ କର୍ଫ୍ୟୁ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲକ-୨ର ନିର୍ଦ୍ଦେଶାନାମା ଅନୁସାରେ ଆଜି ଓଡିଶାରେ ଅନଲକ-୨ର ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ କେନ୍ଦ୍ର ଗାଇଡଲାଇନ ଅନୁସାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ କୋହଳ କରିଥିବା ବେଳେ ରାଜ୍ୟ ସରକାର ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ଓଡିଶାରେ ରାତ୍ରକାଳୀନ କର୍ଫ୍ୟୁ ୧୦ଟା ପରିବର୍ତ୍ତେ ୯ଟା କରାଯାଇଛି । ତେବେ ରାଜ୍ୟରେ ଆସନ୍ତାକାଲି ତଥା ଜୁଲାଇ ୧ରୁ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସେହିଭଳି ଏହି ରାତ୍ରକାଳୀନ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ ବୋଲି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ଆଉ କିଛି ସେବା ଉପରେ କରୋନା କଟକଣା ଛାଡ୍ କରିଛନ୍ତି ରାଜ୍ୟ ସରକାର । ତେବେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଜରୁରୀ ସେବା ସହ ଡକ୍ଟର, ଉଭୟ ସରକାରୀ ଏବଂ ବେସରକାରୀ ମେଡିକାଲର ସ୍ୱାସ୍ଥ୍ୟକର୍ମୀ, ସ୍ଥାନୀୟ ପ୍ରଶାସନୀକ ଅଧିକାରୀ, ପୋଲିସ୍, ସରକାରୀ ଅଫିସର, ଯଦି କାହାର ମେଡିକାଲ ଇମରଜେନ୍ସ ରହିଥାଏ ସେମାନଙ୍କୁ ବି ଏହି ନାଇଟ୍ କର୍ଫ୍ୟୁ ସମୟରେ ଯିବା ପାଇଁ ଅନୁମତି ମିଳିବ ।

ସେହିଭଳି ଔଷଧ ଦୋକାନୀ ଏବଂ ଏଠାରେ କାମ କରୁଥିବା କର୍ମଚାରୀ ଏବଂ ବଡ କଥା ହେଉଛି ରାଜ୍ୟ ସରକାରଙ୍କ ଦ୍ୱିତୀୟ ଅନଲକ୍ ପର୍ଯ୍ୟାୟରେ ଇଣ୍ଡଷ୍ଟ୍ରିଆଲ୍ ଇନଷ୍ଟିଚ୍ୟୁଟରେ ନିୟୋଜିତ କର୍ମଚାରୀମାନଙ୍କୁ ମଧ୍ୟ ଏହି ସମୟରେ ଯାଆସ ପାଇଁ ଅନୁମତି ମିଳିବ । ତେବେ ଏମାନେ ନିଜର ଆଇଡି କାର୍ଡ ଦେଖାଇ ଯାଇପାରିବେ । ସେହିଭଳି ଅଲ୍ କନଷ୍ଟ୍ରକସନର କର୍ମଚାରୀଙ୍କୁ ବି ଏହି ସମୟରେ ପରମିସନ ମିଳିବ । ନାଇଟ୍ କର୍ଫ୍ୟୁ ବେଳେ ପବ୍ଲିକ ଏବଂ ପ୍ରାଇଭେଟ୍ ଟ୍ରାନ୍ସଫୋର୍ଟ ବନ୍ଦ ରହିବ । କିନ୍ତୁ ଓଲା, ଉବେର ସେବା ଏୟାରପୋର୍ଟ, ରେଳ ଷ୍ଟେସନ, ଏବଂ ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ଚଳାଚଳା ପାଇଁ ଅନୁମତି ଦିଆଯାଇଛି । ସେହିଭଳି ପେଟ୍ରୋଲ ପମ୍ପ ଏବଂ ସିଏନଜି ଷ୍ଟେସନ ଖୋଲା ରହିବା ସହ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ କର୍ଫ୍ୟୁ ସମୟରେ ଯାଆସ ପାଇଁ ଅନୁମତି ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।