ଦିଲ୍ଲୀକୁ ଫେରିଲା ନାଇଟ କର୍ଫ୍ୟୁ । ଏପ୍ରିଲ ୩୦ ଯାଏଁ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଟକଣା ।

76

କନକ ବ୍ୟୁରୋ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ । ସୋମବାର ସର୍ବାଧିକ ଦୈନିକ ସଂକ୍ରମିତ ଚହ୍ନଟ ହେବା ପରେ ମଙ୍ଗଳବାର ସାମାନ୍ୟ ହ୍ରାସ ପାଇ ୯୬ ହଜାର ୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ୧୧ଟି ରାଜ୍ୟରୁ ପ୍ରାୟ ୯୦ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଲଗାତାର ଭାବରେ ସଂକ୍ରମଣ ବଢ଼ୁଥିବାରୁ ମୁକାବିଲା ପାଇଁ ଅପ୍ରେଲ ୩୦ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବ କଟକଣା ।

ଦ୍ୱିତୀୟ ଲହର ଆସିବା ପରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗିଛି । ପ୍ରତ୍ୟକ ଦିନ ପ୍ରାୟ ୧ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକି ପ୍ରଥମ ଲହର ତୁଳନାରେ ବେଶ ଅଧିକ । ନଜର ପକାନ୍ତୁ ଗତ ପାଞ୍ଚ ଦିନର କରୋନା ମିଟର ଉପରେ..
– ୬ ଅପ୍ରେଲ ୯୬ ହଜାର ୯୮୨
– ୫ ଅପ୍ରେଲ ୧ଲକ୍ଷ ୩ହଜାର ୫୫୮
– ୪ ଅପ୍ରେଲ ୯୩ ହଜାର ୨୪୯
– ୩ ଅପ୍ରେଲ ୮୯ ହଜାର ୧୨୯
– ୨ ଅପ୍ରେଲ ୮୧ ହଜାର ୪୬୬

କରୋନାର ଏହି ଉପର ମୁହାଁ ଟ୍ରେଣ୍ଡକୁ ଦେଖିଲେ ସ୍ପଷ୍ଟ ହେଉଛି କେମିତି ମାଡି ଚାଲିଛି ଦୈନିକ ସଂକ୍ରମଣ । ସୋମବାର ଚିହ୍ନଟ ହୋଇଥିବା ସଂକ୍ରମିତ ପୂର୍ବରୁ ଥିବା ଦୈନିକ ସଂକ୍ରମଣ ରେକର୍ଡକୁ ଟପି ଯାଇଛି । ଏହି ଟ୍ରେଣ୍ଡକୁ ଦେଖି ସତର୍କ କରିଛନ୍ତି ନୀତି ଆୟୋଗ ସଦସ୍ୟ ଭି. କେ, ପଲ । କହିଛନ୍ତି ଏହା ପ୍ରଥମ ଲହର ତୁଳନାରେ ଅଧିକ ସଂକ୍ରାମକ ।

ଦୈନିକ ଚିହ୍ନଟ ହେଉଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ ଓ ଦିଲ୍ଲୀରୁ ଏବେ ଅଧିକ ଚିହ୍ନଟ ହେଉଛନ୍ତି । ବିଶେଷକରି ଦିଲ୍ଳୀରେ ଲଗାତାର ଦୈନିକ ୩୫୦୦ ଉପରେ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ବଡ ନିଷ୍ପତି ନେଇଛନ୍ତି କେଜ୍ରିୱାଲ ସରକାର ।

ମଙ୍ଗଳବାରଠାରୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ଏଥିସହ କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ ମାନିବାକୁ ଦିଲ୍ଲୀବାସୀଙ୍କୁ ମାଇକ ଯୋଗେ ସତର୍କ କରାଯାଉଛି ।
ଦିଲ୍ଲୀ ସରକାରଙ୍କୁ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଟ୍ରାଫିକ୍ସ ମୁଭମେଂଟ ଉପରେ କୌଣସି କଟକଣା ଲଗାଯିବ ନାହିଁ । ଯେଉଁମାନେ ଟିକା ନେବା ପାଇଁ ଯିବାକୁ ଚାହିଁବେ ସେମାନେ ଯାଇପାରିବେ । ଏଥିପାଇଁ ଇପାସ ନେବାକୁ ପଡିବ । ସେହିପରି ରାସନ, ଔଷଧ,ଫଳ. ପନିପରିବା, କ୍ଷୀର ଦୋକାନୀ ଇପାସ ନେଇ ଯାତାୟତ କରିପାରିବେ । ଗଣମାଧ୍ୟମ ପ୍ରତିନିଧି ଇପାସ ଜରିଆରେ ଯାତାୟତ କରିପାରିବେ । ପରିଚୟପତ୍ର ଦେଖାଇ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ ଯାତାୟତ କରିପାରିବେ । ବୈଧ ଟିକେଟ୍ ଦେଖାଇ ଏୟାରପୋର୍ଟ, ରେଳଷ୍ଟେସନ ଓ ବସଷ୍ଟପକୁ ଯାତ୍ରୀମାନେ ଯାଆସ କରିପାରିବେ । ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଅନୁମତି ରହିଛି ।

କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଦିଲ୍ଲୀରେ ଲକଡାଉନ ଲଗାଇବା ସପକ୍ଷରେ ନାହାଁନ୍ତି ସରକାର । ହେଲେ, ଏହି ଦୃଶ୍ୟକୁ ଦେଖନ୍ତୁ । ଦିଲ୍ଲୀରେ ଦୈନିକ ପ୍ରାୟ ୪ ହଜାର ନୂଆ ପଜିଟିଭ୍ ଚିହ୍ନଟ ହେଉଥିଲେ ବି ଏହାକୁ ଗୁରୁତର ଭାବେ ନେଉନାହାଁନ୍ତି ଦିଲ୍ଲୀର ଅନେକ ଲୋକ । ଖୁଲମଖୁଲା ବୁଲୁଛନ୍ତି । ଯାହାକୁ ଦେଖି ନାଇଟ୍ କର୍ଫ୍ୟୁ ଲଗାଇବାକୁ ବାଧ୍ୟ ହୋଇଛନ୍ତି ସରକାର ।