ପୁନେରେ ଫେରିଲା ନାଇଟ କର୍ଫ୍ୟୁ । ଆସନ୍ତାକାଲିଠୁ ରାତି ୧୧ଟାରୁ ସକାଳ ୬ଟା ଯାଏ ଲାଗିଲା କଟକଣା । ନୂଆ ଷ୍ଟ୍ରେନ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ।

215

କନକ ବ୍ୟୁରୋ: ପୁଣି କରୋନା କଥା ଶୁଣିଲେ ଅଜଣା ଭୟ ମାଡିଆସେ । ପ୍ରାୟ ବର୍ଷେ ଧରି କରୋନାର ଯନ୍ତ୍ରଣା ସମସ୍ତେ ଅନୁଭବ କରିଛନ୍ତି । ଏବେ ପୁଣି ଦେଶର ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆସନ୍ତାକାଲି ଠାରୁ ପୁନେରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିବ ।

କରୋନା ସଂକ୍ରମଣ ବଢ଼ୁଥିବାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ ପୁନେରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ୨୭ ତାରିଖ ଯାଏଁ ସ୍କୁଲ, କଲେଜକୁ ମଧ୍ୟ ବନ୍ଦ କରିଦିଆଯାଇଛି । ମହାରାଷ୍ଟ୍ରରେ ସ୍ଥିତି ଧିରେ ଧିରେ ସଂଗୀନ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୬,୨୮୧ ଜଣ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । କେରଳରେ ମଧ୍ୟ ସଂକ୍ରମଣ ବଢ଼ୁଛି । ୪,୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ଗୋଟିଏ ଦିନରେ ୪୯୦, ତାମିଲନାଡୁରେ ୪୩୮, ପଂଜାବରେ ୩୫୨, ଛତିଶଗଡ଼ରେ ୨୫୩, ଗୁଜରାଟରେ ୨୫୮ ଓ ମଧ୍ୟପ୍ରଦେଶରେ ୨୫୭ ମାମଲା ସାମନାକୁ ଆସିଛି ।

କରୋନା ମିଟର

  • ମହାରାଷ୍ଟ୍ର – ୬,୨୮୧
  • କେରଳ – ୪,୬୫୦
  • କର୍ଣ୍ଣାଟକ – ୪୯୦
  • ତାମିଲନାଡୁ – ୪୩୮
  • ପଂଜାବ – ୩୫୨
  • ଛତିଶଗଡ଼ – ୨୫୩
  • ଗୁଜରାଟ – ୨୫୮
  • ମଧ୍ୟପ୍ରଦେଶ – ୨୫୭

ଦିନକରେ ଦେଶରେ ଯେତିକି ନୂଆ ମାମଲା ସାମ୍ନାକୁ ଆସିଛି । କେବଳ ମହାରାଷ୍ଟ୍ର ଓ କେରଳରେ ଚିହ୍ନଟ ହୋଇଛି ୭୬ ପ୍ରତିଶତ। ମହାରାଷ୍ଟ୍ର ସ୍ଥିତି ଚିନ୍ତାଜନକ ହୋଇଥିବାରୁ ୬ ଜିଲ୍ଲାରେ କଟକଣା ଜାରି ହୋଇଛି । ଅମରାବତୀରେ ନାଇଟ କର୍ଫ୍ୟୁକୁ ଆହୁରି ସାତଦିନ ବଢ଼ାଇ ଦିଆଯାଇଛି । ରନ୍ତ୍ରଗିରି, ସିନ୍ଧୁଦୁର୍ଗ, ରାୟଗଡ଼, ସତରା, ବିଡ୍ ଆଦି ଜିଲ୍ଲାରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଦେଶରେ ଗତବର୍ଷ ସେପ୍ଟେମ୍ବରରେ କରୋନା ଶୀର୍ଷକୁ ଛୁଇଁବା ପରେ ଧିରେ ଧିରେ ଏହାର ଗତି ଧିମେଇ ଥିଲା । ଏହା ପରେ ଲକ୍ଡାଉନ୍, ସଟଡାଉନ ଭଳି କଟକଣା କ୍ରମେ କୋହଳ ହୋଇଥିଲା । ଏବେ ଅଚାନକ କରୋନା ସ୍ଥିତି ବଦଳିବାରେ ଲାଗିଛି । ବିଶେଷ କରି ଫେବ୍ରୁଆରୀ ୧୭ ତାରିଖରୁ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ୧୦ ହଜାର ତଳକୁ ଖସି ଆସିଥିବା ଦୈନିକ ସଂକ୍ରମଣ ପ୍ରତିଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୧୪,୨୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଦିନକରେ ଦେଶରେ କରୋନାରେ ୯୦ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶର କରୋନା ମିଟର

  • ୧୭ ଫେବ୍ରୁଆରୀ – ୧୧,୬୧୦
  • ୧୮ ଫେବ୍ରୁଆରୀ – ୧୨,୮୮୧
  • ୧୯ ଫେବ୍ରୁଆରୀ – ୧୩, ୧୯୩
  • ୨୦ ଫେବ୍ରୁଆରୀ – ୧୩, ୯୯୩
  • ୨୧ ଫେବ୍ରୁଆରୀ – ୧୪, ୨୬୪

ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ‘ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ହୋଇପାରେ । ମଣିଷ ଦେହରେ ବିକଶିତ ଆଂଟିବଡିରୁ ବଂଚିବା ପାଇଁ ରାସ୍ତା ଖୋଜି ନେଉଛି କରୋନାର ନୂଆ ଷ୍ଟ୍ରେନ୍ । ତେଣୁ କରୋନାକୁ ନେଇ ପୂର୍ବ ଭଳି ସତର୍କ ରହିବା ଜରୁରୀ ।’

ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାକୁ ତାଲିକା କରାଯାଇ ଟିକାକରଣ ଚାଲିଛି । ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି । ଏହାପରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଏକାଧିକ ରୋଗରେ ଆକ୍ରାନ୍ତ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରହିଛି ।