ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ସୋମବାରଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ।

ରାତି ୧୦ରୁ ସକାଳ ୫ଟା ଯାଏଁ କଟକଣା, ଜାରି ରହିବ ଜରୁରୀ ସେବା

179

କନକ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ଏବଂ ଛତିଶଗଡ଼ରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ସେହିପରି ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ କଟକଣା ଲଗାଯାଇଛି । ପ୍ରାୟ ସମସ୍ତ ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗିଛି । ରାତି ୧୦ ଟାରୁ ସକାଳ ୫ଟା ଯାଏଁ ଏଠାରେ କଟକଣା ରହିବ ।

କାହା ଉପରେ କଟକଣା?

  • ଦୋକାନ ବଜାର ବନ୍ଦ ରହିବ
  • ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ନାହିଁ
  • ଅଫିସ, ଅନୁଷ୍ଠାନ, ବ୍ୟକ୍ତିଗତ ଯାତାୟତ ଉପରେ କଟକଣା ଲାଗିଛି
  • କେବଳ ଜରୁରୀକାଳୀନ ସେବା ଜାରି ରହିବ ।

କାହାକୁ ମିଳିବ ଅନୁମତି?

ସାଧାରଣ ପରିବହନକୁ ଅନୁମତି ଦିଆଯାଇଛି । ରେଳ ଷ୍ଟେସନ, ଏୟାରପୋର୍ଟ, ବସ୍ ଷ୍ଟାଣ୍ଡକୁ ଯିବା ଆସିବା ଉପରେ କଟକଣା ନାହିଁ, ଏହିସବୁ ସ୍ଥାନକୁ ଯାତ୍ରୀ ଯା’ଆସ କରିପାରିବେ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମ୍ୟୁନିସିପାଲିଟି କର୍ମଚାରୀ, ପୋଲିସ, ଡାକ୍ତର, ପାରାମେଡିକାଲ କର୍ମଚାରୀ, ସରକାରୀ ଅଧିକାରୀଙ୍କୁ ନାଇଟ କଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି ।

ଜରୁରୀକାଳିନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ବିଜୁଳି , ଅଗ୍ନିଶମ ସେବା, ଟେଲିକମ୍ , ଜଳ ଯୋଗାଣ ଓ ରେଳବାଇ, ବିମାନ ସେବା ଯୋଗାଉଥିବା କର୍ମଚାରୀ ଯାତାୟତ କରିପାରିବେ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ମେଡିକାଲ ଷ୍ଟାଫ୍ , ହୋଟେଲ ଏବଂ ଓୟୋ ଆଦି ସଂସ୍ଥାରେ କାମ କରୁଥିବା କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ । ଡାକ୍ତରଖାନା କିମ୍ବା ଅନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଲୋକେ ଯାଆସ କରିପାରିବେ ।

ସମସ୍ତ ଶିଳ୍ପ ସଂସ୍ଥା, ଔଷଧ ଦୋକାନ ଖୋଲା ରହିବ, ନିର୍ମାଣ କାର୍ଯ୍ୟ ଜାରି ରହିବ । ହୋଟେଲ ଓ ଏସମ୍ପର୍କୀୟ ଅଫିସ କର୍ମଚାରୀଙ୍କୁ କଟକଣାରୁ ବାଦ୍ ଦିଆଯାଇଛି । ରାସ୍ତା କଡରେ ଥିବା ଢାବା ଖୋଲା ରହିବ । ଢାବାରୁ କେବଳ ପାର୍ସଲ ସେବା ଜାରି ରହିବ । ପେଟ୍ରୋଲ ପମ୍ପ ଏବଂ ସିଏନଜି ଫିଲିଂ ଷ୍ଟେସନ ଖୋଲା ରହିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଚିହ୍ନଟ ସାମ୍ବାଦିକଙ୍କୁ ଅନୁମତି । ଏଲପିଜି ଯୋଗାଣ ଓ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ଜାରି ରହିବ । ଗ୍ରୋସରୀ, ପନିପରିବା, ଅଣ୍ଡା, ମାଛ, ମାଂସ, ରେଷ୍ଟ୍ରୁରାଂଟରୁ ଖାଦ୍ୟ ମଗାଇ ପାରିବେ ।

ତେବେ ନାଇଟ କର୍ଫ୍ୟୁ ଜାରି ହୋଇଥିବା ଜିଲ୍ଲାଗୁଡିକରେ କେତେ ସଂଖ୍ୟକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଦେଖନ୍ତୁ…

  • ସୁନ୍ଦରଗଡ଼ରେ – ୩୦୭
  • ଝାରସୁଗୁଡାରେ – ୭୭
  • ସମ୍ବଲପୁରରେ-୧୦୪
  • ବରଗଡରେ -୨୨୦
  • ବଲାଙ୍ଗୀରରେ-୮୦
  • ନୂଆପଡ଼ାରେ-୩୩୨
  • କଳାହାଣ୍ଡିରେ-୨୪୩
  • ନବରଙ୍ଗପୁରରେ-୩୦
  • କୋରାପୁଟରେ-୧୯
  • ମାଲକାନଗିରିରେ-୨