ଆଜିଠୁ ରାଜ୍ୟର ସବୁ ସହରରେ ନାଇଟ୍ କର୍ଫ୍ୟୁ । ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କେବଳ ଜାରି ରହିବ ଅତ୍ୟାବଶ୍ୟକ ସେବା

312
କନକ ବ୍ୟୁରୋ : ପୁଣି ଫେରିଛି ନାଇଟ କର୍ଫ୍ୟୁ । ସାରା ରାଜ୍ୟରେ ଆଜିଠାରୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ଗୁରୁବାର ଦିନ ମୁଖ୍ୟଶାସନ ସଚିବ ଏନେଇ ଘୋଷଣା କରିଥିଲେ । ଛତିଶଗଡକୁ ଲାଗିଥିବା ୧୦ ଜିଲ୍ଲା ସହ ସାରାରାଜ୍ୟରେ ନାଇଟ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି ।  ଆଜିଠାରୁ ଏହି କଟକଣା ଲାଗୁ ହେଉଛି । ଏହି ସବୁ ଜିଲ୍ଲାଗୁଡିକରେ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତୀ ନିର୍ଦ୍ଦେଶ ଯାଏଁ ନାଇଟ କର୍ଫ୍ୟୁ ବଳବତର ରହିବ ।
ତେବେ  ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ବିଜୁଳି, ପାନୀୟ ଜଳ , ରନ୍ଧନ ଗ୍ୟାସ  ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଏହି ସମୟରେ  ଯୋଗାଇଦେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ନିଜ ଅନୁଷ୍ଠାନର ପରିଚୟପତ୍ର ଦେଖାଇ ଜରୁରୀକାଳୀନ ସେବାର କର୍ମଚାରୀମାନେ ଯିବାଆସିବା କରିପାରିବେ । ଛତିଶଗଡ ସୀମାକୁ କୁ ଲାଗିଥିବା  ୧୦ଟି ଜିଲ୍ଲାରେ କଟକଣାକୁ କଡାକଡି କରାଯାଇଛି ।  ୧୦ ଜିଲ୍ଲାର  ସହରାଂଚଳରେ  ନାଇଟ କର୍ଫ୍ୟୁ ସମୟକୁ ବଦଳାଯାଇଛି ।  ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ କର୍ଫ୍ୟୁ ବଳବତର ରହିବ ।  ତେବେ ଗ୍ରାମାଂଚଳ ପାଇଁ ଏହି ୧୦ ଜିଲ୍ଲାର ନାଇଟ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ  ସକାଳ ୬ଟା ଯାଏଁ ରହିବ ।
ସେହିଭଳି  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ୧୦ ଜିଲ୍ଲାରେ ସହରାଂଚଳରେ ସପ୍ତାହାନ୍ତ ସଟଡାଉନ  ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ଶନିବାର ଓ ରବିବାର  ସଟଡାଉନ ରହିବ ।  ଏହି ୧୦ ଜିଲ୍ଲା ହେଲେ  ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରୁସୁଗୁଡା, ବଲାଙ୍ଗୀର,  କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି  । ଛତିଶଗଡରେ  କରୋନା ସଂକ୍ରମଣ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଛତିଶଗଡ ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ କଟକଣାକୁ କଡାକଡି କରିଛନ୍ତି ।