କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଲା ନାଇଟ୍ କରଫ୍ୟୁ । ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କଫ୍ୟୁ । ମାଲକାନଗିରି, ସୁନ୍ଦରଗଡ, ଝାରସୁଗୁଡା, ସଂବଲପୁର, ବରଗଡରେ ଲାଗୁ ହୋଇଛି ନାଇଟ୍ କରଫ୍ୟୁ । ସେହିପରି ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ନାଇଟ୍ କଫ୍ୟୁ । ରାତି ୧୦ ଟାରୁ ସକାଳ ୫ଟା ଯାଏଁ ଏହି କଟକଣା ଜାରି ରହିଥିଲା । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।
ପଡୋଶୀ ଛତିଶଗଡରେ କରୋନା ସଂକ୍ରମଣ ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପରବର୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହି କଟକଣା ବଳବତର ରହିବ । କଟକଣା ସମୟରେ ଦୋକାନ ବଜାର ବନ୍ଦ ରହିବ । ବ୍ୟବସାୟିକ ପ୍ରତିଷ୍ଠାନ ବି ବନ୍ଦ ରହିବ । ବ୍ୟକ୍ତିଗତ ଯାତାୟାତ ଉପରେ ବି କଟକଣା ଲାଗିଛି । ତେବେ ସାଧାରଣ ପରିବହନକୁ ଅନୁମତି ଦିଆଯାଇଛି । ରେଳ ଷ୍ଟେସନ, ଏୟାର ପୋର୍ଟ, ବସ୍ ଷ୍ଟାଣ୍ଡକୁ ଯିବା ଆସିବା ଉପରେ କଟକଣା ନାହିଁ । ଏହିସବୁ ସ୍ଥାନକୁ ଯାତ୍ରୀ ଯା’ଆସ କରିପାରିବେ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମୁନିସିପାଲିଟି କର୍ମଚାରୀ, ପୋଲିସ, ଡାକ୍ତର, ପାରାମେଡିକାଲ କର୍ମଚାରୀ, ସରକାରୀ ଅଧିକାରୀଙ୍କୁ ନାଇଟ କରଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି । ଜରୁରୀକାଳିନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆଂବୁଲାନ୍ସ ସେବା ଜାରି ରହିବ । ବିଜୁଳି , ଅଗ୍ନିଶମ ସେବା, ଟେଲିକମ୍ , ଜଳ ଯୋଗାଣ ଓ ରେଳବାଇ, ବିମାନ ସେବା ଯୋଗାଉଥିବା କର୍ମଚାରୀ ଯାତାୟତ କରିବା ପାଇଁ ଅନୁମତି ରହିଛି । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ମେଡିକାଲ ଷ୍ଟାଫ୍ , ହୋଟେଲ ଏବଂ ଓୟୋ ଆଦି ସଂସ୍ଥାରେ କାମ କରୁଥିବା କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ ।
ଡାକ୍ତରଖାନା କିମ୍ବା ଅନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଲୋକେ ଯାଆସ କରିପାରିବେ । ସମସ୍ତ ଶିଳ୍ପ ସଂସ୍ଥା, ଔଷଧ ଦୋକାନ ଖୋଲା ରହିବ, ନିର୍ମାଣ କାର୍ଯ୍ୟ ଜାରି ରହିବ । ହୋଟେଲ ଓ ଏ ସମ୍ପର୍କୀୟ ଅଫିସ କର୍ମଚାରୀଙ୍କୁ କଟକଣାରୁ ବାଦ୍ ଦିଆଯାଇଛି । କଟକଣା ସମୟରେ ରାସ୍ତା କଡରେ ଥିବା ଢାବା ଖୋଲା ରହିଛି । ଢାବାରୁ କେବଳ ପାର୍ସଲ ସେବା ଜାରି ରହିବ । ପେଟ୍ରୋଲ ପମ୍ପ ଏବଂ ସିଏନଜି ଫିଲିଂ ଷ୍ଟେସନ ଖୋଲା ରହିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଚିହ୍ନଟ ସାଂବାଦିକଙ୍କୁ ଅନୁମତି ରହିଛି ।