ପଞ୍ଜାବରେ ଅସମ୍ଭାଳ କରୋନା ସ୍ଥିତି । ରାତି ୯ ରୁ ସକାଳ ୫ ପର୍ଯ୍ୟନ୍ତ ଲାଗିଲା ନାଇଟ୍ କର୍ଫ୍ୟୁ। ମୁଖ୍ୟମନ୍ତ୍ରୀ କଲେ ଘୋଷଣା

122

କନକ ବ୍ୟୁରୋ :  ପଞ୍ଜାବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ରାଜ୍ୟର ୯ ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ନାଇଟ୍ କର୍ଫ୍ୟୁ ରାତି ୯ ରୁ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସଂନ୍ଧ୍ୟା ସୁଦ୍ଧା ଗାଇଡ ଲାଇନ୍ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କହିରଖୁ ମେ’୨୦୨୦ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଛି । ଏହାସହ ଏବେ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ୫୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ମାର୍ଚ୍ଚରେ ସଂକ୍ରମିତଙ୍କ ସଂଖ୍ୟା ୨୦୪୫ ରେ ପହଂଚିଛି । ବୁଧବାର ଦିନ ଗୋଟିଏ ଦିନରେ ରାଜ୍ୟରେ କରୋନା ସଂକ୍ରମଣରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କହିରଖୁ କି ପଞ୍ଜାବରେ ଗତ ସେପ୍ଟେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ୨୦୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଗୋଟିଏ ଦିନରେ ୨୦୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ପଞ୍ଜାବ ନୁହେଁ, ମହାରାଷ୍ଟ୍ର, ଦିଲ୍ଲୀ, ଓ କେରଳରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।