ମହାରାଷ୍ଟ୍ରରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଆଜିଠାରୁ ପୁନେରେ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ । ସପ୍ତାହ ପର୍ଯ୍ୟନ୍ତ କଟକଣା ଲଗାଇଲା ପୁନେ ପ୍ରଶାସନ ।

ମହାରାଷ୍ଟ୍ର, ଛତିଶଗଡ, କେରଳ, ପଂଜାବ ଓ କର୍ଣ୍ଣାଟକରୁ ୭୮ପ୍ରତିଶତ ସଂକ୍ରମିତ ଚିହ୍ନଟ

79

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, ଦିଲ୍ଳୀ, ତାମିଲନାଡୁ, ଗୁଜୁରାଟ , ମଧ୍ୟପ୍ରଦେଶ ଓ ପଞ୍ଜାବ । ଶୁକ୍ରବାର ସାରାଦେଶରେ ମୋଟ ଯେତିକି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ରୋଗୀ କେବଳ ଏହି ୮ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ଯେଉଁଥିପାଇଁ ଦେଶର ଦୈନିକ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି କୁହାଯାଉଛି ।

  • ମହାରାଷ୍ଟ୍ରରେ ଶୁକ୍ରବାର ୪୭ ହଜାର ୮୨୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ସାରା ଦେଶରୁ ଚିହ୍ନଟ ହୋଇଥିବା ମୋଟ ସଂଖ୍ୟାର ଅଧାରୁ ଅଧିକ ।
  • କର୍ଣ୍ଣାଟକରୁ ୪ହଜାର ୯୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅକ୍ଟୋବର ୨୩ ପରେ କର୍ଣ୍ଣାଟକରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ।
  • ଛତିଶଗଡରେ ୪ହଜାର ୧୭୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର ମାସ ପରେ ଛତିଶଗଡରେ ଏହା ସର୍ବାଧିକ ।
  • ଦିଲ୍ଲୀରେ ୩ ହଜାର ୫୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ମାସ ପରେ ଦିଲ୍ଲୀରେ ଏହା ସର୍ବାଧିକ ସଂକ୍ରମଣ ।
  • ତାମିଲନାଡୁରେ ୩ ହଜାର ୨୯୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅକ୍ଟୋବର ୧୯ ପରେ ତାମିଲନାଡୁରେ ଏହା ସର୍ବାଧିକ ସଂକ୍ରମଣ ସଂଖ୍ୟା ।
  • ମଧ୍ୟପ୍ରଦେଶରୁ ୨ ହଜାର ୭୭୭ ନୂଆ ସଂକ୍ରମିତ ଚିହ୍ନଟ ।
  • ଗୁଜୁରାଟରୁ ୨ ହଜାର ୬୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
  • ପଞ୍ଜାବରୁ ୨୮୭୩ ଜଣ ସଂକ୍ରମିତ ହେବା ସହ ୫୭ଜଣଙ୍କ ଜୀବନ ଯାଇଛି ।

ମହାରାଷ୍ଟ୍ରରେ କରୋନା ଭୟଙ୍କର ରୂପ ଧାରଣ କରିଥିଲେ ବି ଏହାକୁ ଖାମଖିଆଲି ଭାବେ ନେଉଛନ୍ତି ସେଠାକାର ଲୋକେ । କରୋନାର ସମସ୍ତ କଟକଣାକୁ ଭୁଲି ଲୋକମାନେ କିଭଳି ବଜାରରେ ଗହଳି ଲଗାଉଛନ୍ତି । ଏହାକୁ ନଜରରେ ରଖି କଟକଣାକୁ ଆହୁରି କଡାକଡି କରିବାକୁ ନିଷ୍ପତି ନେଇଛି ପୁନେ ପ୍ରଶାସନ ।

ପୁନେରେ ୧୨ ଘଂଟିଆ ନାଇଟ କର୍ଫ୍ୟୁ ହୋଇଛି । ଏକ ସପ୍ତାହ ପାଇଁ ଏଠାରେ ନାଇଟ କର୍ଫ୍ୟୁ ଲାଗୁ ହେବ । ସଂଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ଏଥିସହ ପୁନେରେ ଧାର୍ମିକ ଅନୁଷ୍ଠାନ, ହୋଟେଲ, ବାର,ସପିଂ ମଲ.ସିନେମା ଥିଏଟର ସାତ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ଏହି ସମୟରେ କୌଣସି ପ୍ରକାର ସାମାଜିକ ସମବେଶ ପାଇଁ ଅନୁମତି ନାହିଁ । ବିବାହ କାର୍ଯ୍ୟରେ ସର୍ବାଧିକ ୫୦ଜଣ ଓ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ । ତେବେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷର ହୋମ ଡେଲିଭରୀ ପାଇଁ ଅନୁମତି ଦିଆଯାଇଛି ।

ସବୁଠାରୁ ବଡ କଥା ହେଉଛି ଆମର ପଡୋଶୀ ରାଜ୍ୟ ଛତିଶଗଡରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି । ସେଠାରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୮ଜଣଙ୍କ ନିକଟରୁ କରୋନାର ଏକ ନୂଆ ଷ୍ଟ୍ରେନ ଏନ ୪୪୦କେ ଠାବ କରାଯାଇଛି । ତେବେ ଏହି ନୂଆ ଷ୍ଟ୍ରେନ୍ ଅଧିକ ମାରାତ୍ମକ କି ନୁହେଁ ତାହା ଜଣାପଡିନାହିଁ । ଏହା କୋଭିଡ୍ ଭାଇରସର ଏକ ସାଧାରଣ ମ୍ୟୁଟେସନ ବୋଲି କୁହାଯାଉଛି । ଏହାକୁ ଆଖି ଆଗରେ ରଖି ଛତିଶଗଡ ସରକାର କଟକଣାକୁ ଆହୁରି କଡାକଡି କରିଛନ୍ତି ।ଏବଂ ଅଧିକ ସଂକ୍ରମିତ ଜିଲ୍ଲା ଦୁର୍ଗରେ ସମ୍ପୂର୍ଣ୍ଣ ଲକଡାଉନ ଲଗାଇଛନ୍ତି ।