ଆସନ୍ତାକାଲି ଠାରୁ ପୁଣେରେ ୧୨ ଘଂଟିଆ ନାଇଟ କର୍ଫ୍ୟୁ । ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ଲାଗୁ ରହିବ କଟକଣା ।

95

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ ପୁଣେରେ ୧୨ ଘଂଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଏପ୍ରିଲ ୩ ତାରିଖ ଅର୍ଥାତ ଶନିବାର ଦିନଠାରୁ ଏହି କଟକଣା ବଳବତ୍ତର ହେବ । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ଲାଗୁ ରହିବ କର୍ଫ୍ରୁ । ଏହି ୧୨ ଘଂଟା ମଧ୍ୟରେ ଚଳପ୍ରଚଳ ଉପରେ କଡା କଟକଣା ରହିବ । ଏହାସହ ଆସନ୍ତା ୭ ଦିନ ଯାଏଁ ବନ୍ଦ ରହିବ ବାର୍, ହୋଟେଲ, ରେଷ୍ଟୁରାଂଟ ଓ ସିନେମା ହଲ ।

ସେହିପରି ଆସନ୍ତା ୭ ଦିନ ପାଇଁ ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ନେଇ ନିଷ୍ପତି ନେଇଛି ସ୍ଥାନୀୟ ପ୍ରଶାସନ । ବିବାହ ଅନ୍ତିମ ସଂସ୍କାରକୁ ବାଦ୍ ଦେଇ ଅନ୍ୟ ସମସ୍ତ ସମାବେଶ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି । ଅନ୍ତିମ ସଂସ୍କାରରେ ସବୁଠାରୁ ଅଧିକ ୨୦ ଏବଂ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକଙ୍କ ଉପରେ କଟକଣା ଲଗାଯାଇଛି । ଘରୋଇ ବସ୍ ସେବା ମଧ୍ୟ ପୁଣେରେ ବନ୍ଦ ରହିବ । ଆଗାମୀ ୭ ଦିନ ପରେ ସ୍ଥିତିର ସମୀକ୍ଷା ପରେ ଆଗାମୀ ନିଷ୍ପତି ନିଆଯିବ ।

ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଚାଲିଥିବା ବେଳେ ସବୁଠୁ ଅଧିକ ଚିନ୍ତାଜନକ ସ୍ଥିତି ରହିଛି ମହାରାଷ୍ଟ୍ରର । ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମଣରୁ କେବଳ ମହାରାଷ୍ଟ୍ରରୁ ପାଖାପାଖି ୫୦ପ୍ରତିଶତ ପଜିଟିଭ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କୋଭିଡ କଟକଣା କେବଳ ନାଁକୁ ମାତ୍ର ରହିଯାଇଛି । ଗତ ୨୪ ଘଂଟାରେ ସାରାଦେଶରେ ୮୧ ହଜାର ୪୬୬ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରେ ୪୩ହଜାର ୧୮୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୨୪୯ଜଣଙ୍କର ମୃତ୍ୟୁ ହୋଇଛି ।

ଗତ ୨୪ ଘଂଟାରେ ସାରାଦେଶରୁ ୮୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ପ୍ରାୟ ମାସେ ହେଲା ଦେଶରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଯୋଗୁଁ କେବଳ ଗତ ୧୫ଦିନରେ ପ୍ରାୟ ୩ଲକ୍ଷ ୮୦ହଜାର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଦେଶର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମାର୍ଚ୍ଚ ୧୬ରୁ ଏପ୍ରିଲ ୨ତାରିଖ ଭିତରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୬ ଲକ୍ଷ ଟପି ଯାଇଛି ।

ସାରାଦେଶରେ ଗତ ୨୪ଘଂଟାରେ ୮୧ ହଜାର ୪୬୬ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୪୬୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତମାନ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୪ ହଜାର ୬୯୬ ରହିଛି । ତେବେ ଆଜିଯାଏଁ ସାରାଦେଶରେ ମୋଟ୍ ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧ କୋଟି ୧୫ ଲକ୍ଷ ୨୫ ହଜାର ୩୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଂଚିଛି । ପ୍ରତିଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।