ନୂଆ କରୋନା ଭୂତାଣୁ ସଂକ୍ରମଣ ଭୟ : ମହାରାଷ୍ଟ୍ରରେ ଆଜିଠୁ ଜାନୁଆରୀ ୫ ଯାଏଁ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ; ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ

ସେପଟେ ବ୍ରିଟେନ ସହ ଡିସେମ୍ବର ୩୧ ଯାଏଁ ବିମାନ ଚଳାଚଳ ବାତିଲ କଲା ଭାରତ

145

କନକ ବ୍ୟୁରୋ : ନୂଆ କରୋନା ଭୂତାଣୁ ସଂକ୍ରମଣ ଭୟ । ମହାରାଷ୍ଟ୍ରରେ ପୁଣି ଥରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ । ମୁମ୍ବାଇ ଓ ରାଜ୍ୟର ସମସ୍ତ ପୌରପାଳିକା ନିଗମ କ୍ଷେତ୍ରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଇବାକୁ ନିଷ୍ପତି ନେଇଛନ୍ତି ଉଦ୍ଧବ ଠାକରେ ସରକାର । ଆଜି ଠାରୁ ଆସନ୍ତା ୧୪ ଦିନ ଲାଗି ଏହି ନିୟମ ଲାଗୁ ହେବ । ଜାନୁଆରୀ ୫ ଯାଏଁ ରାତ୍ରିିକାଳୀନ କର୍ଫ୍ୟୁ ଜାରି ରହିବ ।

ବ୍ରିଟେନରେ ଦେଖାଦେଇଥିବା ନୂଆ ଧରଣର କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ଏହାସହ ବ୍ରିଟେନ କିମ୍ବା ଅନ୍ୟ କୌଣସି ୟୁରୋପ ରାଷ୍ଟ୍ରରୁ ଆସିଥିବା ଲୋକଙ୍କୁ ୧୪ ଦିନ ପାଇଁ ସଂଗରୋଧରେ ରହବାକୁ ପଡ଼ିବ । ଏହାଛଡ଼ା ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଲୋକ ମଧ୍ୟ ସଂଗରୋଧରେ ରହିବେ । ଏଥିପାଇଁ ବ୍ୟବସ୍ଥା କରିବାକୁ ମହାଗର ନିଗମ ଓ ସମ୍ପର୍କିତ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ତେବେ ହୋମ କ୍ୱାରେଂଟିନରେ ଯେଉଁମାନେ ରହିବେ ପୂର୍ବପରି ସେମାନଙ୍କ ହାତରେ ଷ୍ଟାମ୍ପ ଲଗାଯିବ ।

ଆମ ଦେଶରେ କରୋନା ସଂକ୍ରମଣ ହାର କମି ଚାଲିଥିବାବେଳେ ବ୍ରିଟେନରେ ଦେଖାଯାଇଥିବା ମହାମାରୀର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ସବୁଠୁ ବଡ କଥା ହେଉଛି ଏହି ନୂଆ ଷ୍ଟ୍ରେନର ସଂକ୍ରମଣର ଗତି ଅଧିକ ରହିଛି । ଏହି ନୂଆ ଷ୍ଟ୍ରେନ୍ ପାଖାପାଖି ୭୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହାର କ୍ଷିପ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ହୋଇ ପଡିଛନ୍ତି ବିଶ୍ୱର ବିଭିନ୍ନ ରାଷ୍ଟ୍ର ।

କାନାଡା, ଜର୍ମାନୀ, ନେଦରଲାଣ୍ଡ, ସାଉଦିଆରବ ଭଳି ରାଷ୍ଟ୍ର ବ୍ରିଟେନକୁ ବିମାଣ ଚଳାଚଳ ଉପରେ କଟକଣା ଲଗାଇଛନ୍ତି । କରୋନାର ଏହି ନୂଆ ଭୂତାଣୁ ଉପରେ ନଜର ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟା । ଆଜି ମଧ୍ୟରାତ୍ରରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ସମସ୍ତ ବିମାନ ବାତିଲ କରାଯାଇଛି । ଏଥିସହ ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।