ମହାରାଷ୍ଟ୍ରରେ ଲାଗିଲା ନାଇଟ୍ କର୍ଫ୍ୟୁ । ରାତି ୮ ଟାରୁ ସକାଳ ୭ ଯାଏ କର୍ଫ୍ୟୁ ଲାଗୁ । କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ

157

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଡା ପଦକ୍ଷେପ ନେଇଛନ୍ତି । ପୁରା ରାଜ୍ୟରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ସରକାରଙ୍କ ସୂଚନା ମୁତାବକ ରାତି ୮ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁହେବ । କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ହୋଟେଲଗୁଡିକ କେବଳ ପାର୍ସଲ ସେବା ଯୋଗାଇ ପାରିବେ । ସମସ୍ତ ସିନେମା ହଲ, ପାର୍କ ଓ ଖେଳପଡିଆ ବନ୍ଦ ରହିବ । ବଡଧରଣର ଫିଲ୍ମ ସୁଟିଂକୁ ମିଳିବନି ଅନୁମତି । ଅନ୍ୟପଟେ କର୍ମଚାରୀ ମାନେ ଘରେ ରହି ସମସ୍ତ ଅଫିସ୍ କାମ କରିବେ ବୋଲି ସରକାର ସୂଚନା ଦେଇଛନ୍ତି । ଏହାସହ ବିସ୍ତୃତ ଏସଓପି ଖୁବଶୀଘ୍ର ଜାରି କରାଯିବ ବୋଲି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଆସଲାମ ଶେଖ୍ କହିଛନ୍ତି ।

କହିରଖୁ କି ଦେଶରେ ଦୈନିକ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ୫୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ସରକାର ଚିନ୍ତାରେ ଅଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରର ସରକାରୀ ଓ ବେସରକାରୀ ମେଡିକାଲରେ ଏବେ ଅକ୍ସିଜେନ ଓ ବେଡ ଅଭାବ ପଡୁଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି ମୁଖ୍ୟମନ୍ତ୍ୀ ଉଦ୍ଧବ ଠାକରେ ।