ମହାରାଷ୍ଟ୍ରରେ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ । ମୁମ୍ବାଇ ମହାନଗରୀରେ ରାସ୍ତାଘାଟ ଖାଁ-ଖାଁ, ପୁଲିସ୍ କରୁଛି ଯାଞ୍ଚ, ୫ ଜଣରୁ ଅଧିକ ରୁଣ୍ଡ ନହେବାକୁ ଦିଆଯାଇଛି ନିର୍ଦ୍ଦେଶ

157

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବେକାବୁ ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ଯାଏଁ ଲାଗୁ ହୋଇଥିବା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ପୁରା ଶୂନଶାନ ହୋଇଯାଇଛି । ମୁମ୍ବାଇ ମହାନଗରରୀର ଜନବହୁଳ ସ୍ଥାନ ଖାଁ-ଖାଁ ଲାଗୁଛି ।
ତେବେ ଅତି ଜରୁରୀ କାମରେ ଯାଉଥିବା ଯାତ୍ରୀଙ୍କୁ ପୁଲିସ୍ ଅଟକାଇ ପଚରାଉଚୁରା କରିବା ସହ ଯାଞ୍ଚ କରୁଛି । ଏହି କଟକଣା ଆସନ୍ତା ଏପ୍ର୍ରିଲ ୧୫ ଯାଏଁ ବଳବତର ରହିବ । ସେହିପରି ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ରୁଣ୍ଡ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ଫୁ ନିୟମ ଉଲଂଘନ କଲେ ଜରିମାନା କରାଯାଉଛି । ସେହିପରି ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଧାରିତ ପରିମାଣରେ ଲୋକଙ୍କୁ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ନଜର ପକାନ୍ତୁ ମହାରାଷ୍ଟ୍ରରେ କଟକଣାକୁ କଡ଼ାକଡ଼ି କରିବା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ।
– କର୍ଫ୍ୟୁ ନିୟମ ଲଉଂଘନ କଲେ ଏକ ହଜାର ଟଙ୍କା ଜରିମାନା ରଖାଯାଇଛି
– ମାସ୍କ ପରିଧାନ କରିନଥିବା ବ୍ୟକ୍ତିଙ୍କୁ ଜରିମାନା ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି
– ସର୍ବଧାରଣ ସ୍ଥାନରେ ୫ଜଣରୁ ଅଧିକ ଲୋକଙ୍କୁ ରୁଣ୍ଡ ହେବାକୁ ବାରଣ କରାଯାଇଛି
– କର୍ଫ୍ୟୁ କଟକଣା ସମୟରେ ଗାର୍ଡେନ୍, ସମୁଦ୍ରକୂଳ ଆଦି ସ୍ଥାନକୁ ବନ୍ଦ କରିଦିଆଯାଇଛି
– କଟକଣା ସମୟରେ ମଲ୍, ଅଡିଟରିୟମ୍, ରେଷ୍ଟୁରାଂଟ ଆଦିକୁ ବନ୍ଦ କରିଦିଆଯାଇଛି
– କର୍ଫ୍ୟୁ ସମୟରେ ଅନ୍ଲାଇନ୍ ଡେଲିଭରୀ ସେବାକୁ ଖୋଲା ରଖାଯାଇଛି
– ଅତି ଜରୁରୀ କାମ ଥିଲେ ସରକାରୀ ପାସ୍କୁ ବାଧ୍ୟତାମୂଳକ କରାଯାଇଛି
– ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶ ଉପରେ କଟକଣା ଲଗାଯାଇଛି
– ବିବାହ ପାଇଁ ସର୍ବାଧିକ ୫୦ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣକୁ ଅନୁମତି ଦିଆଯାଇଛି