ଗଂଜାମରେ ଅପରାହ୍ନ ୪ରୁ ସକାଳ ୫ଟା ଯାଏଁ ଜାରି ରହିବ ନାଇଟ କର୍ଫ୍ୟୁ: ସକାଳ ୫ରୁ ଦିନ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି; ୫ ସୂତ୍ରୀ ଫର୍ମୂଲା ପାଳନ କରିବାକୁ ଦୋକାନୀଙ୍କ ପାଇଁ ବାଧ୍ୟତାମୁଳକ

ଅନଲକ ଥ୍ରୀ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ଜାରି ରହିବ ସପ୍ତାହନ୍ତ ସଟଡାଉନ

285

କନକ ବ୍ୟୁରୋ:  ଅଗଷ୍ଟ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଆସିବା ପରେ ଗଂଜାମ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଂଜାମ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ନାଇଟ କର୍ଫ୍ୟୁର ସମୟ ଏବେ ପରିବର୍ତନ ହେବ । ଅପରାହ୍ନ ୪ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ କଟକଣା କଡାକଡି ଭାବେ ପାଳନ କରାଯିବ । ସେହିପରି ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲିବ । ତେବେ ଦୋକାନୀମାନେ ପାଇଁ ପୂର୍ବରୁ ଜାରି ହୋଇଥିବା ୫ ସୂତ୍ରୀ ଫର୍ମୂଲା ପାଳନ କରିବା ବାଧ୍ୟତାମୁଳକ । ଦୋକାନରେ ସାମାଜିକ ଦୂରତା ରକ୍ଷା, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମାସ୍କ ପିନ୍ଧିବାକୁ ହେବ ।

ଦୋକାନ ସାମ୍ନାରେ ଏକ ବ୍ୟାରିକେଡ କରିବେ ଦୋକାନୀ । ସାମଗ୍ରୀ କିଣିବାକୁ ଆସୁଥିବା ଲୋକଙ୍କ ଠିକଣା ରଖିବା ପାଇଁ ଖାତା ରହିବ । ଦୋକାନୀ ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବେ । ଯଦି କେହି ଏହାର ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସପ୍ତାହନ୍ତ ସଟଡାଉନ ରହିବ । ଶନିବାର ଓ ରବିବାର ଜିଲ୍ଲାରେ ସଟଡାଉନ କଟକଣା ଲାଗୁ ରହିବ । ଗ୍ରାମାଂଚଳରୁ ସହରାଚଂଳକୁ ଆସିବା ଉପରେ କଟକଣା ରହିଛି ।

ଅତି ଜରୁରୀ ନଥିଲେ କାହାକୁ ଛଡାଯିବ ନାହିଁ । ସେହିପରି ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ସ୍କ୍ରିନିଂ କରୁଥିବାରୁ ଗଂଜାମରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ପାରୁଥିବାରୁ ସଂକ୍ରମଣକୁ ରୋକାଯାଇପାରୁଛି । ରାଜ୍ୟ ସରକାରଙ୍କ ନିୟମାବଳୀକୁ ଗଂଜାମ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯିବ । ଏଥିପାଇଁ ସହଯୋଗ କରିବାକୁ  ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଗଂଜାମ ଜିଲ୍ଲାପାଳ ।