କନକ ବ୍ୟୁରୋ : ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ତେବେ ଆସନ୍ତା ୫ ତାରିଖ ଅର୍ଥାତ ସୋମବାର ଠାରୁ ଏହି କଟକଣା ଲାଗିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ କଟକଣା । ଆସନ୍ତୁ ଜାଣିବା ନାଇଟ୍ କର୍ଫ୍ୟୁରେ କ’ଣ ଛାଡ଼ ହେବ ?

Advertisment

ମେଡିକାଲ୍ କିମ୍ବା ଅନ୍ୟ ଏମରଜେନ୍ସିରେ ଲୋକେ ଯାତାୟତ କରିପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍, ଜଳ ଯୋଗାଣ, ରେଳବାଇ, ବିମାନ ସେବା ଓ ଯାତାୟତ ସୁବିଧା ଜାରି ରହିବ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ସମସ୍ତ ଶିଳ୍ପାୟନ ୟୁନିଟ୍, ନିର୍ମାଣ କାର୍ଯ୍ୟ, ମେଡିସିନ୍ ଦୋକାନ ଖୋଲା ରହିବ ।

ସେହିପରି ଘରୋଇ ଯାତ୍ରୀବାହୀ ଯାନ ଓ ଟାକ୍ସି ଯାତାୟତ କରିପାରିବ । ଏୟାରପୋର୍ଟ, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବା କରିପାରିବେ । ହୋଟେଲ ଓ ଏସମ୍ବନ୍ଧୀୟ ଅଫିସ୍ ଓ କର୍ମଚାରୀଙ୍କୁ ଅନୁମତି ମିଳିବ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମ୍ୟୁନିସିପାଲ, ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଯିବାଆସିବା ପାଇଁ ଅନୁମତି ମିଳିବ ।