ମହାରାଷ୍ଟ୍ରରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୬୮ ହଜାରରୁ ଅଧିକ ନୂଆ ମାମଲା । ସେପଟେ ବିହାରରେ ଲାଗୁ ହେଲା ନାଇଟକର୍ଫ୍ୟୁ ।

133

କନକ ବ୍ୟୁରୋ: ବିହାରରେ ସଂକ୍ରମଣ ବଢୁଥିବା ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ରାତି ୯ଟାରୁ ସକାଳ ୫ଟା ଯାଏଁ କଟକଣା ବଳବତ୍ତର ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁସାରେ ମେ ୧୫ ତାରିଖ ଯାଏଁ ସିନେମା ହଲ, ମଲ, କ୍ଲବ, ଜିମ ଓ ପାର୍କ ବନ୍ଦ ରହିବ । ପନିପରିବା, ଅଣ୍ଡା ଓ ମାଂସ ଦୋକାନ ସନ୍ଧ୍ୟା ୬ଟା ପରେ ଖୋଲି ପାରିବେ ନାହିଁ । ରେଷ୍ଟୁରାଂଟ ଓ ଢାବାରୁ ରାତି ୯ଟା ଯାଏଁ କେବଳ ଖାଦ୍ୟ ପାର୍ସଲ ନେଇପାରିବେ ।

ସେହିପରି ସ୍କୁଲ, କଲେଜ ମେ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ସେହି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପରୀକ୍ଷା ମଧ୍ୟ ହୋଇପାରିବ ନାହିଁ । ରାଜ୍ୟର ସମସ୍ତ ଧାର୍ମିକ ପୀଠ ମେ ୧୫ ତାରିଖ ଯାଏ ବନ୍ଦ ରହିବ, ବିବାହ ଉତ୍ସବରେ ଶହେ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ ।

ଅନ୍ୟପଟେ ମହାରାଷ୍ଟ୍ରରେ ଉପରମୁହାଁ ହୋଇଛି କରୋନା ମଟିର । ପ୍ରତ୍ୟେକ ଦିନ ରାଜ୍ୟରେ ନୂଆ ଅଲୋଡା ରେକର୍ଡ ସୃଷ୍ଟି ହେଉଛି । ଗତ ୨୪ ଘଂଟାରେ ରାଜ୍ୟରେ ୬୮ ହଜାର ୬୩୧ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ସହ ୫୦୩ ଜଣ ପ୍ରାଣ ହରାଇଛନ୍ତି । ମୁମ୍ବାଇରେ ବି ମାଡିଚାଲିଛି କରୋନା । ଏଠାରେ ଗତ ୨୪ ଘଂଟାରେ ୮୪ ୭୯ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୫୩ ଜଣ ପ୍ରାଣ ହରାଇଛନ୍ତି । ବର୍ତମାନ ସୁଦ୍ଧା ମହାନଗରୀରେ ହଜାରେରୁ ଅଧିକ ଅଟ୍ଟାଳିକାକୁ ବି ସିଲ କରାଗଲାଣି । କରୋନା ସଂକ୍ରମଣକୁ ଦୃଷ୍ଟିରେ ମହାରାଷ୍ଟ୍ର ସରକାର ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ।