ସଂକ୍ରମଣ ସୀମା ଡେଇଁଲା, ରାଜ୍ୟରେ କଟକଣା ଲାଗିଲା । କରୋନା କମାଇବାକୁ ନାଇଟ କର୍ଫ୍ୟୁ ଲଗାଇଲେ ସରକାର । ଆଜି ଠାରୁ ୧୦ ଜିଲ୍ଲାରେ ଜାରି ରାତ୍ରୀକାଳୀନ କର୍ଫ୍ୟୁ ।

450

କନକ ବ୍ୟୁରୋ: ଓଡ଼ିଶାକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ଆଜିଠୁ ୧୦ ଜିଲ୍ଲାରେ ରାତ୍ରୀକାଳୀନ କଟକଣା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା । କରୋନା ବଢିଲା, ନାଇଟ କର୍ଫ୍ୟୁ ଫେରିଲା । ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ କଟକଣା କଡା କଲେ ରାଜ୍ୟ ସରକାର । ପଡିଶା ଛତିଶଗଡ ପାଇଁ ଓଡିଶା ଛାତିରେ ଛନକା ପଶିଥିବା ବେଳେ କରୋନା ଛତିଶଗଡରୁ ଛୁଟୁଥିବା ଆଶଙ୍କା କରାଯାଉଛି । ଆଉ ଏହାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର ।

ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ସେହିପରି ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ କଟକଣା ଲଗାଯାଇଛି । ପ୍ରାୟ ସମସ୍ତ ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗିଛି । ରାତି ୧୦ ଟାରୁ ସକାଳ ୫ଟା ଯାଏଁ ରହିବ ଏହି କଟକଣା ।

ତେବେ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ବେଳେ କିଛି ଜିନିଷ ଉପରେ ରହିବ କଟକଣା । ଦୋକାନ ବଜାର ବନ୍ଦ ରହିବ, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ନାହିଁ । ଅଫିସ, ଅନୁଷ୍ଠାନ, ବ୍ୟକ୍ତିଗତ ଯାତାୟତ ଉପରେ କଟକଣା ଲାଗିଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ତେବେ ନାଇଟ୍ କର୍ଫ୍ୟୁ ବେଳେ ସାଧାରଣ ପରିବହନକୁ ଅନୁମତି ଦିଆଯାଇଛି । ରେଳ ଷ୍ଟେସନ, ଏୟାର ପୋର୍ଟ, ବସଷ୍ଟାଣ୍ଡକୁ ଯିବା ଆସିବା ଉପରେ କଟକଣା ନାହିଁ, ଏହିସବୁ ସ୍ଥାନକୁ ଯାତ୍ରୀ ଯା’ଆସ କରିପାରିବେ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମୁନିସିପାଲିଟି କର୍ମଚାରୀ, ପୋଲିସ, ଡାକ୍ତର, ପାରାମେଡିକାଲ କର୍ମଚାରୀ, ସରକାରୀ ଅଧିକାରୀଙ୍କୁ ନାଇଟ କର୍ଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି ।

ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍ , ଜଳ ଯୋଗାଣ ଓ ରେଳବାଇ, ବିମାନ ସେବା ଯୋଗାଉଥିବା କର୍ମଚାରୀ ଯାତାୟତ କରିପାରିବେ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ମେଡିକାଲ ଷ୍ଟାଫ୍ , ହୋଟେଲ ଏବଂ ଓୟୋ ଆଦି ସଂସ୍ଥାରେ କାମ କରୁଥିବା କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ । ଡାକ୍ତରଖାନା କିମ୍ବା ଅନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଲୋକେ ଯାଆସ କରିପାରିବେ । ସମସ୍ତ ଶିଳ୍ପ ସଂସ୍ଥା, ଔଷଧ ଦୋକାନ ଖୋଲା ରହିବ, ନିର୍ମାଣ କାର୍ଯ୍ୟ ଜାରି ରହିବ । ହୋଟେଲ ଓ ଏସମ୍ପର୍କୀୟ ଅଫିସ କର୍ମଚାରୀଙ୍କୁ କଟକଣାରୁ ବାଦ୍ ଦିଆଯାଇଛି । ରାସ୍ତା କଡରେ ଥିବା ଢାବା ଖୋଲା ରହିବ । ଢାବାରୁ କେବଳ ପାର୍ସଲ ସେବା ଜାରି ରହିବ । ପେଟ୍ରୋଲ ପମ୍ପ ଏବଂ ସିଏନଜି ଫିଲିଂ ଷ୍ଟେସନ ଖୋଲା ରହିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଚିହ୍ନଟ ସାଂବାଦିକଙ୍କୁ ଅନୁମତି । ଏଲପିଜି ଯୋଗାଣ ଓ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ଜାରି ରହିବ । ଗ୍ରୋସରୀ, ପନିପରିବା, ଅଣ୍ଡା, ମାଛ, ମାଂସ, ରେଷ୍ଟ୍ରୁରାଂଟରୁ ଖାଦ୍ୟ ମଗାଇ ପାରିବେ ।

ଗୋଟିଏ ପଟେ ଦେଶରେ ଭୂତାଣୁ ଭୟଙ୍କର ଭାବେ ବଢି ଚାଲିଥିବା ବେଳେ ଓଡିଶାର ସ୍ଥିତି ବିଗିଡିବା ଆଗରୁ ବଡ ପଦକ୍ଷେପ ନେଇଛନ୍ତି ସରକାର । ଆଉ ଆଜି ରାତି ୧୦ଟାରୁ ୧୦ ଜିଲ୍ଲାରେ ଲାଗିବ ନାଇଟ୍ କର୍ଫ୍ୟୁ ।