ଦେଶରେ ବଢୁଛି କରୋନା ସଂକ୍ରମଣ, ମହାରାଷ୍ଟ୍ର ସ୍ଥିତି ଉଦବେଗଜନକ । ନାସିକରେ ସପ୍ତାହନ୍ତ ତାଲାବନ୍ଦ ଲଗାଇଲେ ଜିଲ୍ଲା ପ୍ରଶାସନ, କାଲିଠୁ ଥାଣେର ୧୧ଟି ହଟସ୍ପଟରେ ଲକଡାଉନ ଜାରି ।

122

କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୬୪ ହଜାର ୬୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସୂଚାଉଛି ମହାରାଷ୍ଟ୍ରରେ କରୋନ କେତେ ଦ୍ରତ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଅକ୍ଟୋବର ମାସରୁ ମହାରାଷ୍ଟ୍ରରେ କରୋନା ସ୍ଥିତରେ ସୁଧାର ଆସିଥିବା ବେଳେ ଅନଲକ ପର୍ଯ୍ୟାୟ ଆରମ୍ଭ ହେବା ପରେ ଜାନୁଆରୀ ମାସରୁ ପୁଣି ସ୍ଥିତି ବିଗୁଡୁଛି । ତେଣୁ କରୋନା ମାହମାରୀର ମୁକାବିଲା ପାଇଁ ପାଳନ କରାଯାଉଥିବା କଟକଣାକୁ ହାଲୁକାରେ ନେବାରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି ।

କରୋନାର ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ନାସିକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତ ଅଂଚଳରେ ୱିକେଣ୍ଡ ଲକଡାଉନ ବା ସପ୍ତାହନ୍ତ ତାଲାବନ୍ଦ ଲାଗୁ କରାଯାଇଛି । ସେହିପରି ମାର୍ଚ୍ଚ ୧୫ ପରେ ବିବାହ ଉତ୍ସବକୁ ଅନୁମତି ମିଳିବ ନାହିଁ ବୋଲି ଘୋଷଣା କରାଯାଇଛି । ଜରୁରୀ ସେବାକୁ ଛାଡି ସମସ୍ତ ଦୋକାନ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବନ୍ଦ ରହିବ । ରାତି ୧୧ଟା ଯାଏଁ ସାମଗ୍ରୀର ହୋମ ଡେଲିଭରିକୁ ଅନୁମତି । ନାସିକ ସହର, ମାଲେଗାଓଁ ଏବଂ ଅଧିକ ମାମଲା ଆସିଥିବା ଗ୍ରାମାଂଚଳର ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିଦିଆଯିବ । ସେପଟେ ଠାଣେ ପ୍ରଶାସନ ସଂକ୍ରମଣ ଥିବା ୧୬ଟି ହଟସ୍ପଟ ଅଂଚଳରେ ମାର୍ଚ୍ଚ ୯ରୁ ୩୧ ଯାଏଁ ଲକଡାଉନ ଲାଗୁ କରିଛି ।

ସେପଟେ ଦେଶର ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୨୪ ରାଜ୍ୟରେ ଗତ ସପ୍ତାହରେ ୧୦ ପ୍ରତିଶତ କରୋନା ସଂକ୍ରମିତଙ୍କ ମାମଲା ବଢିଛି । ମହାରାଷ୍ଟ୍ରରେ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ୬୪ ହଜାର ୬୫୭ ନୂଆ ମାମଲା, କେରଳରେ ୧୭ ହଜାର ୯୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଞ୍ଜାବରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୬ ହଜାର ୨୧୫ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ୩ ହଜାର ୭୬୪, ତାମିଲନାଡୁର ୩ ହଜାର ୫୭୯ ଓ ଗୁଜୁରାଟରେ ମାର୍ଚ ପ୍ରଥମ ସପ୍ତାହରେ ୩ ହଜାର ୪୯୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।