ନାଇଜେରିଆରେ ଭୁଶୁଡିଲା ନିର୍ମାଣଧିନ କୋଠା । ୬ ମୃତ,୧୦୦ ରୁ ଅଧିକ ନିଖୋଜ

109

କନକ ବ୍ୟୁରୋ : ନାଇଜେରିଆର ଲାଗୋସ ସହରରେ ଏକ ନିର୍ମାଣଧିକ କୋଠା ଭୁଶୁଡି ପଡିବାରୁ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ନିଖୋଜ ଥିବା କଥା କୁହାଯାଇଛି । ନିଖୋଜ ଥିବା ଲୋକମାନେ ସେଠି କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି ।

କୋଠାତଳୁ ଉଦ୍ଧାର ହୋଇଥିବା ଶ୍ରମିକମାନେ କହିଛନ୍ତି କି କୋଠା ଭୁଶୁଡିବା ସମୟରେ କୋଠା ଭିତରେ ପାଖା ପାଖି ୧୦୦ ଜଣରୁ ଅଧିକ ଶ୍ରମିକ କାମ କରୁଥିଲେ । କୋଠା ଭୁଶୁଡିଥିବା ସୂଚନା ପାଇବା ପରେ ଉଦ୍ଧାରକାରୀଦଳ ସେଠାରେ ପହଂଚି ଲୋକମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଲାଗୋସ ସରକାରଙ୍କ ସୂଚନା ମୁତାବକ ସେଠାରେ ଏକ ୨୨ ମହଲା କୋଠା ନିର୍ମାଣ କରାଯାଉଥିଲା । ହେଲେ କୋଠା ଭୁଶୁଡିବାର କାରଣ ସ୍ପଷ୍ଟ ହୋଇନାହିଁ । ସେପଟେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
କହିରଖୁ କି ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ କୋଠା ଭୁଶୁଡିବା ଏକ ସାଧାରଣ କଥା । ଏଠାରେ କୋଠା ନିର୍ମାଣ କରିବାର ନିୟମାବଳୀ କଡ଼ା ନଥିବା ବେଳେ ଏଠାରେ କୋଠା ନିର୍ମାଣ କାର୍ଯ୍ୟରେ ଲାଗୁଥିବା ସାମଗ୍ରୀ ନିମ୍ନମାନର ହୋଇଥାଏ ।