ଆଇପିଏଲ ଇତିହାସରେ ନିଆରା ରେକର୍ଡ : ରବିବାର ଦୁଇଟି ମ୍ୟାଚରେ ଖେଳାଗଲା ୩ଟି ସୁପର ଓଭର; ଡବଲ ସୁପର ଓଭର ଖେଳି ମୁମ୍ୱାଇକୁ ମାତ୍ ଦେଲା ପଞ୍ଜାବ

542

କନକ ବ୍ୟୁରୋ : ଆଇପିଏଲ ଇତିହାସରେ ନିଆରା ରେକର୍ଡ । ରବିବାର ଖେଳାଯାଇଥିଲା ଦୁଇଟି ମ୍ୟାଚ । ତିନୋଟି ସୁପରଓଭରରେ ଆସିଲା ଫଳାଫଳ । ପ୍ରଥମ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ୍ ରାଇଡର୍ସ ହରାଇବା ପରେ ପଂଜାବ-ମୁମ୍ୱାଇ ମଧ୍ୟରେ ଦେଖିବାକୁ ମିଳିଥିଲା ରୋମାଂଚକର ଦୁଇଟି ସୁପରଓଭର । ଦୁଇଟି ସୁପରଓଭର ଖେଳି ରୋମାଂଚକର ଢଙ୍ଗରେ ମ୍ୟାଚ୍ ଜିତିନେଇଥିଲା କିଙ୍ଗସ୍ ଇଲେଭେନ୍ ପଂଜାବ ।

ପ୍ରଥମ ସୁପର ଓଭରରେ କିଙ୍ଗସ୍ ଇଲେଭେନ୍ ପଂଜାବକୁ ମାତ୍ର ୫ ରନ କରିପାରିଥିଲା । ଏହାକୁ ପିଛା କରି ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟ ସମାନ ୫ ରନ୍ କରିପାରିଥିଲା । ନାଟକୀୟ ଢଙ୍ଗରେ ଡିକକକୁ ରନ୍ ଆଉଟ୍ କରି ମ୍ୟାଚର ମୋଡ ବଦଳାଇ ଦେଇଥିଲେ ପଂଜାବ ବୋଲର ମହମ୍ମଦ ସାମି ଏବଂ ୱିକେଟ୍ କିପର କେଏଲ ରାହୁଲ । ଏହା ପରେ ଫଳାଫଳ ପାଇଁ ଦ୍ୱିତୀୟ ସୁପରଓଭର ଖେଳାଯାଇଥିଲା । ମୁମ୍ୱାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧ ରନ୍ ସ୍କୋର କରିପାରିଥିଲା । ଜବାବରେ କ୍ରିସ୍ ଗେଲ୍ ଓ ମୟଙ୍କ ଯୋଡି ଛକା ଓ ଚୌକା ବର୍ଷା କରି ଦଳକୁ ସହଜ ବିଜୟ ଦେଇଥିଲେ ।

ଦ୍ୱିତୀୟ ସୁପରଓଭରର ପ୍ରଥମ ବଲକୁ ଗେଲ୍ ଛକା ମାରିଥିବା ବେଳେ ମୟଙ୍କ ଅଗ୍ରୱାଲ ଚୌକା ମାରି ଦଳୀୟ ସ୍କୋରକୁ ୧୫ ରନରେ ପହଁଚାଇ ବହୁ ପ୍ରତିକ୍ଷୀତ ବିଜୟ ଦେଇଥିଲେ । ଏହି ବିଜୟ ସହିତ କିଙ୍ଗସ୍ ଇଲେଭେନ୍ ପଂଜାବ ତୃତୀୟ ବିଜୟ ସହିତ ୬ ପଏଂଟ ହାସଲ କରିଛି । ପଏଂଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଛି ପଂଜାବ । ସେପଟେ କ୍ରମାଗତ ୫ଟି ବିଜୟ ହାସଲ କରିବା ପରେ ହାରିଲା ମୁମ୍ୱାଇ । ଦଳ ଏବେ ୧୨ ପଏଂଟ ସହିତ ଟେବୁଲର ଦ୍ୱୀତିୟ ସ୍ଥାନରେ ରହିଛି ।