ଜମିରେ ପଡି ନଷ୍ଟ ହେଲାଣି ଟ୍ରକ ଟ୍ରକ ଟମାଟୋ ଓ କଖାରୁ । ଉତ୍ପାଦନ ପରେ ଅଭାବି ବିକ୍ରିର ସମ୍ମୁଖୀନ ଚାଷୀ ।

113

କନକ ବ୍ୟୁରୋ : ନିଆଳି ଅଞ୍ଚଳରେ ବିଲରେ ସଢୁଛି ଟ୍ରକ ଟ୍ରକ ଟମାଟୋ ଓ କଖାରୁ ପରିବା । ଅଧିକ ଅମଳ ହୋଇଥିବା ବେଳେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛି । ହାଟ ବଜାରକୁ ଗଲେ ପରିବା ବିକ୍ରି ହେଉନି । ଫଳରେ ଅଦର ଦରରେ ଏହାକୁ ଢାଳି ଦେଇ ଆସୁଛି । ଟମାଟୋ କିଲୋ ପିଛା ୨ରୁ ୩ ଟଙ୍କାରେ ବିକ୍ରି ହେଉଛି । କଖାରୁ ୩ରୁ ୫ ଟଙ୍କାରେ ଚାଷୀ ଠାରୁ କିଣୁଛନ୍ତି ବେପାରୀ । ଏବେ ଦର ଖସି ଯିବାରୁ ଆଉ ଚାଷୀ ପାଖକୁ ବେପାରୀ ଆସୁନାହାନ୍ତି । ତେଣୁ ଘରେ ପରିବା ପଚିସଢି ନଷ୍ଟ ହେଉଛି ।

ବିଲରେ ପରିବା, ଘରେ ପରିବା, ଖଟ ଉପରେ ବି ରହିଛି କଖାରୁ । ଯୁଆଡେ ଚାହିଁଲେ, ଖାଲି ପରିବା ହିଁ ପରିବା । ଘରେ ବସିବା ପାଇଁ ଜାଗା ଟିକିଏ ନାହିଁ । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ସହିତ ମାଟି ହୋଇ କଖାରୁ ଓ ଟମାଟୋ ଉତ୍ପାଦନ କରିଛନ୍ତି । ଭଲ ଅମଳ ହୋଇଥିବାରୁ ଭଲ ରୋଜଗାରର ଆଶା ରଖିଥିଲେ କଟକ ନିଆଳି ବ୍ଲକ ସରାକୂଳ ଗାଁର ଚାଷୀ । କିନ୍ତୁ ବଜାରରେ ଅଭାବ ବିକ୍ରୀ ଚାଷୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି ।

ହାଟ ବଜାରରେ ପରିବା ବିକ୍ରି ନହେବାରୁ ଚାଷୀର ସ୍ୱପ୍ନ ଯେଉଁଠି ଆରମ୍ଭ ହୋଇଥିଲା ସେଇଠି ଶେଷ ହୋଇଯାଇଛି । ଟମାଟୋ ନତୋଳି ବିଲରେ ଛାଡି ଦେଇଛନ୍ତି । ବିଲରେ ଟ୍ରକ ଟ୍ରକ ଟମାଟୋ ଓ କଖାରୁ ନଷ୍ଟ ହେଉଛି । ଟମାଟୋ କିଲୋ ପ୍ରତି ୨ଟଙ୍କା ୭୦ ପଇସା ଥିବା ବେଳେ କଖାରୁ କିଲୋ ପ୍ରତି ୩ରୁ ୫ଟଙ୍କା ରହିଛି । ଯାହା ଚାଷୀର ଖର୍ଚ୍ଚ ଟଙ୍କା ବି ମିଳୁନାହିଁ । ତେଣୁ ଚାଷୀ ବଜାର ଯିବା ବନ୍ଦ କରି ଦେଇଛନ୍ତି । ସରାକୂଳ ଗାଁର ୮୦ ଭାଗ ଲୋକ, ଚାଷ ଉପରେ ନିର୍ଭର କରି ଚଳନ୍ତି । ବିଭିନ୍ନ ପନିପରିବା ଚାଷ କରନ୍ତି, ଏବର୍ଷ ଟମାଟୋ ଓ କଖାରୁ ଚାଷ କରିଥିବା ଚାଷୀଙ୍କ ସ୍ଥିତି ସଂଗୀନ ହୋଇଛି ।