ମାଟି ଖୋଳି ପୁଲିସ ଜବତ କଲା ଚୋରି ହୋଇଥିବା ସୁନା: ଦୁଇ ଅଭିଯୁକ୍ତ ଗିରଫ; ଚତୁର୍ଥୀ ଦିନ ସୁନା ଲୁଟ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ

ନିଆଳି ପୁଲିସକୁ ମିଳିଲା ସଫଳତା

624

କନକ ବ୍ୟୁରୋ: ମାଟି ତଳୁ ବାହାରିଲା ଚୋରି ହୋଇଥିବା ସୁନା । ଚୋରି ଅଭିଯୋଗ ପରେ ନିଆଳି ପୁଲିସ ଅଭିଯୁକ୍ତକୁ ଧରିବା ସହ ମାଟି ତଳେ ପୋତା ଯାଇଥିବା ସୁନାକୁ ମଧ୍ୟ ଉଦ୍ଧାର କରିଛି । ସୂଚନା ଅନୁସାରେ ଚତୁର୍ଥୀ ଦିନ ନବବଧୂଙ୍କ ଠାରୁ ସୁନା ଲୁଟ କରି ଖସି ଯାଇଥିଲା ଲୁଟେରା । ଏନେଇ ନିଆଳି ଥାନାରେ ଅଭିଯୋଗ ପରେ ପୁଲିସ ସନ୍ଦେହରେ ଅଳତାରଙ୍ଗ ଗାଁର କାଳିଆ ଭୋଇକୁ ଥାନାକୁ ଆଣି ପଚରା ଉଚରା କରିଥିଲା । ପୁଲିସର ଜେରା ସମୟରେ ଲୁଟ କରିଥିବା ମାନିଥିଲା କାଳିଆ ।

କାଳିଆର ସୂଚନା ମୁତାବକ ପୁଲିସ କାଳିଆ ଘରେ ପୋତା ହୋଇଥିବା ସୁନାକୁ ବାହାର କରିଛି । ଏଥିସହ କାଳିଆର ସହଯୋଗୀ ବରିସଣ ଗାଁର ବଟକୃଷ୍ଣ ମହାନ୍ତିଙ୍କୁ ଗିରଫ କରିଛି ନିଆଳି ପୁଲିସ । ନିଆଳି ଏସଡିପିଓ ବସନ୍ତ ପଣ୍ଡାଙ୍କ ସୂଚନା ଅନୁସାରେ ସୁନା ଗହଣା ଲୁଟ ପରେ କାଳିଆ ନିଜ ଘରେ ମାଟି ଖୋଲି ପୋତି ଦେଇଥିଲା । ୨ ମାସ ପରେ ସହଯୋଗୀ ବଟକୃଷ୍ଣଙ୍କ ସହ ମିଶି ଏକ ବ୍ୟାଙ୍କରେ କିଛି ସୁନାକୁ ବନ୍ଧକ ବଟକୃଷ୍ଣଙ୍କ ନାଁରେ ୨ଲକ୍ଷ ୮୦ ହଜାର ଟଙ୍କାର ରୁଣ ଆଣିଥିଲେ । ସେହି ଟଙ୍କାକୁ ଦୁଇ ଜଣ ଅଧା ଅଧା ବାଂଟି ନେଇଥିବା ପୁଲିସ ପାଖରେ ସ୍ୱୀକାର କରିଛି କାଳିଆ ଭୋଇ । ପୁଲିସ ଉକ୍ତ ବ୍ୟାଙ୍କରେ ଚଢାଉ କରି ଲୁଟ ସୁନାକୁ ଜବତ କରିବାରେ ସଫଳ ହୋଇଛି ।