ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଜଣେ ମାତ୍ର ଶିକ୍ଷକ ଅବସର ନେବା ପରେ ସ୍କୁଲରେ ପଡିଛି ତାଲା

84

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିକାଶ ଓ ରାଜ୍ୟ ସରକାରଙ୍କ ନବୀନ ଓଡିଶା । ଏସବୁ ବିଜ୍ଞାପନରେ ଚକ୍ ଚକ୍ ମାରୁଛି । ସଭା ସମିତିରେ ନେତା ମନ୍ତ୍ରୀମାନେ ଏହି ଯୋଜନାକୁ ନେଇ ଭାଷଣ ଦେବାରେ ଲାଗିଛନ୍ତି । ହେଲେ ନବୀନ ଓଡିଶା ହେଉ କି କେନ୍ଦ୍ର ସରକାରଙ୍କର ବିକାଶ ଯୋଜନା ହେଉ ଏସବୁ ଭିତରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ଆପଣମାନେ ନିଜ ନିଜ ବିଦ୍ୟାଳୟରେ ଦେଖିବାକୁ ପାଉଥିବେ । ହେଲେ ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପଡିଛି ଓ ପିଲାମାନେ ବହି ବସ୍ତାନୀ ଧରି ବାରଣ୍ଡାରେ ଅପେକ୍ଷା କରିଛନ୍ତି ଏ ଚିତ୍ର ଏବେ ସରକାରଙ୍କୁ ନାଗରିକ ପ୍ରଶ୍ନ କରିବାକୁ ବାଧ୍ୟ କରିଛି ।

ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ । ୭ଦିନ ହେଲା ବିଦ୍ୟାଳୟ ବନ୍ଦ । କଟକ ଜିଲ୍ଲା ନିଆଳି ବ୍ଲକ ଅଲଣା ପଂଚାୟତରେ ଥିବା ଅଥଙ୍ଗା-ପସଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ସ୍କୁଲରେ ଥିବା ଜଣେ ମାତ୍ର ଶିକ୍ଷକ ଅବସର ନେବାରୁ ବିଦ୍ୟାଳୟରେ ତାଲା ଝୁଲୁଛି । ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ବାରଣ୍ଡାରେ ବସି ଫେରୁଛନ୍ତି । ଫଳରେ ବିଦ୍ୟାଳୟର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଶିକ୍ଷା ଓ ମାଧ୍ୟାହ୍ନଭୋଜନରୁ ବଂଚିତ ହୋଇଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।