କନକ ବ୍ୟୁରୋ : ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହ୍ମୋସ ଏବଂ ଅନ୍ୟ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି । ସେହି ଆଶଙ୍କାରେ ଚାନ୍ଦିପୁର ଗୁପ୍ତଚରଙ୍କୁ ଜେରା କରିବା ପାଇଁ କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ପହଂଚିଛି ଭାରତୀୟ ବାୟୁସେନାର ଏକ ୩ ଜଣିଆ ଟିମ୍ । ପାକିସ୍ତାନୀ ଏଜେଂଟଙ୍କ ସହ ସଂପର୍କ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୪ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଥିବାବେଳେ ଏମାନଙ୍କୁ ଜେରା କରିଛନ୍ତି ଭାରତୀୟ ବାୟୁସେନା ।
ବାୟୁସେନାର ବରିଷ୍ଠ ଅଧିକାରୀମାନେ ଭାରତୀୟ ପ୍ରତିରକ୍ଷା ବିଭାଗର ବିଭିନ୍ନ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ଲିକ ନେଇ ପଚରାଉଚରା କରୁଥିବା ଜଣାପଡିଛି । କ୍ରାଇମବ୍ରାଂଚ ମଧ୍ୟ ଏ ବାବଦରେ ଅଧିକ ତଥ୍ୟ ହାସଲ ପାଇଁ ପ୍ରୟାସ ଚଳାଇଛି । ପାକିସ୍ତାନୀ ଏଜେଂଟଙ୍କ ସହ ସଂପର୍କରେ ରହି ଏମାନେ ଗୋପନୀୟ ତଥ୍ୟ ଆଇଏସଆଇକୁ ଦେଇଥିବା ଆଶଙ୍କା ରହିଛି । ତେବେ ତଳିଆ ଓ ଠିକା କର୍ମଚାରୀଙ୍କ ହାତରେ କ୍ଷେପଣାସ୍ତ୍ର ସଂପର୍କୀୟ ଗୋପନୀୟ ତଥ୍ୟ ଲାଗିବା ଓ ଟଙ୍କା ଲୋଭରେ ସେମାନେ ପାକିସ୍ତାନ ହାତକୁ ସୂଚନା ଟେକିଦେବା ଭଳି ଘଟଣା ନେଇ ମଧ୍ୟ ସନ୍ଦେହ ବଢୁଛି ।
ସୂଚନା ଅନୁଯାୟୀ, ଚାନ୍ଦିପୁର ଆଇଟିଆର୍ର ୪ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ରବିବାରଠାରୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଥିବାବେଳେ ସୋମବାର ରିମାଣ୍ତ୍ର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ମୁଖ୍ୟତଃ ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ସମ୍ପର୍କ, ଟଙ୍କା କାରବାର ଓ ଅନ୍ୟ ସହଯୋଗୀଙ୍କ ବିଷୟରେ ତଥ୍ୟ ହାସଲ କରିଛି । ମୋଟାମୋଟି ଭାବେ ପାକିସ୍ତାନ ଆଇଏସ୍ଆଇ ଲିଙ୍କ୍ରେ ଆଇଟିଆରର ଏହି କର୍ମଚାରୀମାନେ ଫେସବୁକ୍ ମାଧ୍ୟମରେ ସମ୍ପର୍କ ଯୋଡ଼ିଥିଲେ। ପୂରା କାରବାର ଉତ୍ତରପ୍ରଦେଶର ହ୍ୟାଣ୍ତଲର ନିୟନ୍ତ୍ରଣ କରୁଥିଲା। ପାକିସ୍ତାନରୁ ଫୋନ୍ କଲ୍ ଓ ଟଙ୍କା ଉତ୍ତରପ୍ରଦେଶ ଆସୁଥିଲା ।
ଚାନ୍ଦିପୁର ଆଇଟିଆର୍ରୁ କେଉଁ ତଥ୍ୟ ଚୋରି କରିବାର ଅଛି, ସେ ସମ୍ପର୍କରେ ଉତ୍ତରପ୍ରଦେଶରୁ ଫୋନ୍ କରି ହ୍ୟାଣ୍ତଲର ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା। ଆଇଟିଆର୍ କର୍ମଚାରୀଙ୍କ ନିକଟକୁ ଟଙ୍କା ବି ସିଧାସଳଖ ପାକିସ୍ତାନରୁ ଆସିନାହିଁ । ଉତ୍ତରପ୍ରଦେଶର ହ୍ୟାଣ୍ତଲର ମାଧ୍ୟମରେ ଆସିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରିମାଣ୍ତ୍ର ତୃତୀୟ ଦିନରେ ଏମାନଙ୍କ ନିକଟକୁ ଟଙ୍କା କାରବାରର ଶୈଳୀ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନୀ ହ୍ୟାଣ୍ଡଲର୍ଙ୍କ ଜରିଆରେ ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ କିଛି ଟଙ୍କା ଆସିଥିବା ବେଳେ ଆଉ କିଛି ଟଙ୍କା ‘ସ୍ଲିପର୍ ସେଲ୍’ର ସଦସ୍ୟଙ୍କ ମାଧ୍ୟମରେ ଆସିଥିବା କ୍ରାଇମବ୍ରାଞ୍ଚ ଜେରା ସମୟରେ ଜାଣିବାକୁ ପାଇଛି ।
ବାଲେଶ୍ବରରେ ଥିବା କିଛି ବାଂଲାଦେଶୀ ଶରଣାର୍ଥୀ ଏହି ‘ସ୍ଲିପର ସେଲ୍’ ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ତେଣୁ ଏବେ କ୍ରାଇମବ୍ରାଞ୍ଚର ଟାର୍ଗେଟରେ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି । କିଛି ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିବାବେଳେ ନିର୍ଦ୍ଦିଷ୍ଟ ଭାବେ କେତେଜଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପାକିସ୍ତାନୀ ଟଙ୍କା ଆସିଛି, ସେ ନେଇ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତଥ୍ୟ ମଗାଯାଇଛି । ଆସନ୍ତାକାଲି ସୁଦ୍ଧା ଏହି ଟଙ୍କା କରାବାରର ତଥ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଯୋଗାଇବାର ସମ୍ଭାବନା ରହିଛି । ତେବେ ଉଭୟ ବ୍ୟାଙ୍କ୍ ଓ ବାଂଲାଦେଶୀ ଶରଣାର୍ଥୀଙ୍କ ମାଧ୍ୟମରେ ଆସିଥିବା ଟଙ୍କାର ପରିମାଣ ଏକାଠି କଲା ପରେ ହିଁ ଜଣାପଡ଼ିବ ଯେ ପାକିସ୍ତାନରୁ ମୋଟ କେତେ ଟଙ୍କା ଆଇଟିଆର୍ର ତଥ୍ୟ ଚୋରି ବାବଦରେ ଗିରଫ ୫ କର୍ମଚାରୀଙ୍କୁ ମିଳିଥିଲା ବୋଲି ସମ୍ପୃକ୍ତ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି । ଟଙ୍କା କାରବାର ପଛରେ ସାମିଲ ବାଂଲାଦେଶୀ ଶରଣାର୍ଥୀଙ୍କୁ ଠାବ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଏବେ ତନାଘନା ଚଳାଇଛି ।