ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବୋମା ଭର୍ତ୍ତି କାର ଜବତ ଘଟଣା । ମୁମ୍ବାଇର ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ରିମାଣ୍ଡରେ ନେଲା ଏନଆଇଏ ।

118

କନକ ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରୁ ବୋମା ଭର୍ତ୍ତି କାର ଜବତ ମାମଲାରେ ଫସିଛନ୍ତି ମୁମ୍ବାଇ ପୁଲିସର ବରିଷ୍ଠ ଅଧିକାରୀ ସଚିନ ୱାଜେ । ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବା ପରେ ସଚିନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଜେରା କରୁଛି ଏନଆଇଏ । ଆଂଟିଲିଆ ନିକଟରେ ସିସିଟିଭିରେ ଥିବା ପିପିଇ କିଟ୍ ପିନ୍ଧା ସନ୍ଦିଗ୍ଧ ବ୍ୟକ୍ତି ଜଣକ ସଚିନ ବୋଲି ଦାବି କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ ଅନୁମତି ପାଇବା ପରେ ମାର୍ଚ୍ଚ ୨୫ ଯାଏଁ ତାଙ୍କୁ ରିମାଣ୍ଡରେ ଆଣିଛି ଏନଆଇଏ । ଶିଳ୍ପପତି ମୁକେଶ ଅମ୍ବ।।ନୀ ଘର ଆଗରେ ବୋମାଭର୍ତ୍ତି କାର ରଖିବା ମାମଲାରେ ସଚିନ ୱାଜେ ଓ ଅନେକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ସଂକେତ ଦେଇଛି ତଦନ୍ତକାରୀ ସଂସ୍ଥା ।

ସଚିନ ୱାଜେ ଗିରଫ ଘଟଣା ପରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ । ଏନସିପି ମୁଖ୍ୟ ଶରଦ ପାୱାର ଏନେଇ ଦଳୀୟ ମନ୍ତ୍ରୀଙ୍କ ବୈଠକ ଡକାଇଛନ୍ତି । ସେପଟେ ଶାସକ ଦଳ ଉପରେ ବର୍ଷିଛି ବିରୋଧୀ ବିଜେପି । ଏହି ମାମଲାରେ ଆଗକୁ ମୁମ୍ବାଇ ପୁଲିସ ଆଉ କିଛି ଅଧିକାରୀ ଓ ମହାରାଷ୍ଟ୍ର ରାଜନୀତିର କିଛି ନେତାଙ୍କୁ ଜେରା କରିପାରେ ବୋଲି କୁହାଯାଉଛି ।

ଆଇପିସିର ଧାରା ୨୮୬ ଅର୍ଥାତ୍ ବିସ୍ଫୋରକ ସାମଗ୍ରୀ ପ୍ରତି ଅବହେଲା, ଧାରା ୪୬୫ ଅର୍ଥାତ୍ ଜାଲିଆତି, ଧାରା ୪୭୩ ଅର୍ଥାତ୍ ଜାଲିଆତି କରିବା ଉଦ୍ଦେଶ୍ୟରେ ନକଲି ସିଲ୍ ତିଆରି କରିବା ବା ରଖିବା, ଧାରା ୫୦୬ (୨)- ଅପରାଧିକ ଧମକ ଦେବା , ଧାରା-୧୨୦ ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର, ବିସ୍ଫୋରକ ପଦାର୍ଥ ଅଧିନିୟମ ଆଧାରରେ ସଚିନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ୨୦୦୪ ମସିହାରେ ନିଲମ୍ବିତ ହୋଇ ରହିଥିବା ସଚିନ ଗତ ବର୍ଷ କାର୍ଯ୍ୟରେ ଯୋଗ ଦେଇଥିଲେ ।