କେମିତି ବିପଦ ଆଣେ ଇଂଟରନେଟର ଖେଳ । ବିଦେଶୀ ୱେବସାଇଟକୁ ଯାଇ ଅସ୍ତ୍ରଶସ୍ତ୍ର ସର୍ଚ କରିବାରୁ ଘଟିଲା ବଡ଼ ଘଟଣା । ଦିଲ୍ଲୀରୁ ଭୁବନେଶ୍ୱର ଚାଲିଆସିଲା ଏନଆଇଏ ଟିମ୍ ।

571

କନକ ବ୍ୟୁରୋ : ଆପଣ ଇଂଟରନେଟରେ କଣ ସର୍ଚ୍ଚ କରୁଛନ୍ତି, ତା ଉପରେ ଟିକିଏ ନଜର ରଖନ୍ତୁ । ନହେଲେ ଦିଲ୍ଳୀରୁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି- ଏନଆଇଏର ଟିମ୍ ପହଞ୍ଚିଲା ଭଳି ପରିସ୍ଥିତି ସୃଷ୍ଟି ହେବ । ଯଦି ବାହାର ଦେଶର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଏଜେନ୍ସି ସହ ଭୁଲ କ୍ରମେ ଆପଣ ଇଂଟରନେଟରେ ଯୋଡି ହୋଇଯିବେ, ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

ଜାତୀୟ ତଦନ୍ତକାରୀ ସଂସ୍ଥା, ଏନଆଇଏର ଏକ ଟିମ୍ ହଠାତ୍ ପହଞ୍ଚିଥିଲେ ଭୁବନେଶ୍ୱରରେ । କେହି କିଛି ବୁଝିବା ଆଗରୁ ଜଣେ ଯୁବକଙ୍କୁ ଉଠାଇ ଆଣିଥିଲେ ସେମାନେ ଏବଂ ଖଣ୍ଡଗିରି ଥାନାର ନିଭୃତ କୋଠରୀ ଭିତରେ ଚାଲିଲା ଘଂଟା ଘଂଟା ଜେରା । ଲୋକଙ୍କ ମନରେ ପ୍ରଶ୍ନ ଉଠିଲା, କାହିଁକି ଓଡିଶା ଆସିଲା ଏନଆଇଏ ଟିମ୍ । ରାଜ୍ୟରେ ପୁଣି ଆତଙ୍କବାଦୀ ଲିଙ୍କ୍ କିଛି ବାହାରିଲା କି ?

ସାମ୍ନାକୁ ଆସିଲା ଏନଆଇଏ ତଦନ୍ତ ପଛର କାରଣ । ଅଷ୍ଟ୍ରେଲିଆର ସାଇଟରୁ ଅସ୍ତ୍ର ଖୋଜିବା ହେଲା ଅଡୁଆ । ଲକଡାଉନ୍ ବେଳେ ସମୟ କାଟିବାକୁ ୱେବ୍ ସର୍ଫିଂ କରୁଥିଲେ ୨୦ ବର୍ଷିୟ ଜଣେ ଯୁବକ ଜଣକ । ଘରେ ଥିବା ବେଳେ ଏଭଳି ସମୟ ଅତିବାହିତ କରିବା ବେଳେ ହଠାତ୍ ଚାଲିଯାଇଥିଲେ ଅଷ୍ଟ୍ରେଲିଆର ଏକ ସାଇଟକୁ । ଏଠାରେ ବିଭିନ୍ନ ଅତ୍ୟାଧୁନିକ ମାରଣାସ୍ତ୍ର ମିଳୁଥିବା ବେଳେ ସେଥିରୁ ଗୋଟିଏ ମାରଣାସ୍ତ୍ର କିଣିବା ପାଇଁ ବାଛିଥିଲେ ଯୁବକ ଜଣକ । କିନ୍ତୁ ଏହାର ସବୁ ପ୍ରକ୍ରିୟା ଶେଷ କରିନଥିଲେ ।

ମଜା କରୁଥିବା ବେଳେ ଯୁବକ ଜଣଙ୍କ ପାଇଁ ବଢିଲା ଅଡୁଆ । ଭୁବନେଶ୍ୱରରୁ କେହି ଜଣେ ବିଦେଶରୁ ମାରଣାସ୍ତ୍ର କିଣୁଥିବା ଅଷ୍ଟ୍ରେଲିଆର ଗୁଇନ୍ଦା ସଂସ୍ଥା ଏନଆଇଏକୁ ଦେଇଥିଲା ସୂଚନା ଏବଂ ତାଙ୍କ ଆଇପି ଆଡ୍ରେସ ଜରିଆରେ ଯୁବକ ଜଣଙ୍କ ପାଖରେ ପହଂଚିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଦୀର୍ଘ ୩ ଘଂଟା ଧରି ଗୁଡାଇ ତୁଡାଇ ପ୍ରଶ୍ନ କରିବା ପରେ ତଦନ୍ତକାରୀ ଜାଣିପାରିଲେ ଯେ ଯୁବକ ଜଣକ ନିର୍ଦ୍ଦୋଷ । ମଜାରେ ମଜାରେ ସେହି ସାଇଟକୁ ଯାଇଥିଲେ ଯୁବକ ।

ବୁଧବାର ଦିନ ତମାମ ଏନଆଇଏ ତଦନ୍ତଙ୍କୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ପୋଲିସ କମିଶନର ଟ୍ୱିଟ୍ କରି ଅନାବଶ୍ୟକ ଚର୍ଚ୍ଚା ନକରିବାକୁ ଅନୁରୋଧ କରିଥିଲେ । ଏନଆଇଏ କୌଣସି ପ୍ରକାର ଆତଙ୍କବାଦୀ ଲିଙ୍କ୍ ବା ଅପରାଧୀ କାରବାରକୁ ଖାରଜ କରିଛନ୍ତି । ଛାତ୍ର ଜଣଙ୍କୁ ଅଭିଯୁକ୍ତ କରିବାକୁ ମନା କରିଦେଇଛନ୍ତି ଏନଆଇଏ । କାରଣ ସେ ହଠାତ୍ ଏକ ନିଷିଦ୍ଧ ସାଇଟକୁ ବ୍ରାଉଜ୍ କରିଥିଲେ ଏବଂ ଏଥିରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା ଜଣାପଡିନାହିଁ ବୋଲି ସେ ସୂଚନା ଦେଇଥିଲେ ।