ଏଣ୍ଟିଲିଆ ସାମ୍ନାରେ ବିସ୍ଫୋରକ ଭର୍ତି କାର ଜବତ ଘଟଣା । ଏନଆଇଏ ହାତରେ ଲାଗିଲା କାର ମାଲିକ ମନସୁଖ ହିରେନଙ୍କ ସହ ସଚିନ ୱାଜେ ଏକାଠି ଥିବାର ସିସିଟିଭି ଭିଜୁଆଲ । 

184

କନକ ବ୍ୟୁରୋ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ଯେଉଁ ବିସ୍ଫୋରକ ଭର୍ତି ସ୍କୋର୍ପିଓ ଗାଡି ମିଳିଥିଲା ତାହାର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ତଥ୍ୟ ପଦାକୁ ଆସିଛି । ଏକ ସିସିଟିଭି ଭିଜୁଆଲ କଏଦ ହୋଇଛି ଯେଉଁଥିରେ ମୁମ୍ବାଇ ପୋଲିସର ନିଲମ୍ବିତ ଅଧିକାରୀ ସଚିନ ୱାଜେଙ୍କ ସହ ନଜର ଆସିଛନ୍ତି ମନସୁଖ ହିରେନ । ଉଭୟଙ୍କୁ ଗୋଟିଏ କାରରେ ଥିବା ଦେଖିବାକୁ ମିଳିଛି । ଏହି ସିସିଟିଭି ଭିଜୁଆଲ ଫେବ୍ରୁୟାରୀ ୧୭ତାରିଖର ବୋଲି ଜଣାପଡିଛି ।

ସିସିଟିଭି ଭିଜୁଆଲରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ମୁମ୍ବାଇର ସିଏସଟି ଷ୍ଟେସନ ସମ୍ମୁଖରେ ଏକ କାର ଅଟକିବା ପରେ ମନସୁଖ ହିରେନ ବାହାରକୁ ବାହାରନ୍ତି । ଦ୍ୱିତୀୟ ସିସିଟିଭିରେ ଏକ ନୀଳ ରଙ୍ଗର ଅଡି କାର ଦେଖିବାକୁ ମିଳୁଛି, ଯାହାକୁ ସଚିନ ୱାଜେ ବ୍ୟବହାର କରୁଥିଲେ । ଏହି ଅଡି କାରଟି ଏକ ଟ୍ରାଫିକ ସିଗନାଲରେ ଅଟକିବା ପରେ ମନସୁଖ ହିରେନ ଏହି କାରରେ ବସୁଥିବା ଦେଖିବାକୁ ମିଳିଛି ।

ଏହି କାରକୁ ସଚିନ ୱାଜେ ନିଜେ ଚଳାଉଥିବା ବେଳେ ମନସୁଖ ହିରେନ ବସିଛନ୍ତି । ମାର୍ଚ୍ଚ ୪ତାରିଖରେ ମନସୁଖଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏଟିଏସ ଏହ ମାମଲାର ଯାଂଚ କରୁଥିଲା, ଏବେ ଏନଆଇଏ ଏହି ମାମଲାକୁ ହାତକୁ ନେଇଛି । ସେପଟେ ମୁକେଶ ଅମ୍ବାନୀଙ୍କ ଘର ବାହାରୁ ମିଳିଥିବା ବିସ୍ଫୋରକ ଭର୍ତି କାର ମାମଲାରେ ସଚିନ ୱାଜେଙ୍କୁ ଏପ୍ରିଲ ୩ ତାରିଖ ଯାଏଁ ଏନଆଇଏ ହେପାଜତକୁ ପଠାଯାଇଛି । ଆଜି ମୁମ୍ବାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ସଚିନ ୱାଜେଙ୍କୁ ହାଜର କରାଯାଇଥିଲା ।