ଏନଆଇଏ ଟାର୍ଗେଟରେ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ । ଦାଉଦଙ୍କ ସହଯୋଗୀଙ୍କ ଘରେ ସକାଳୁ ସକାଳୁ ଏନଆଇଏ କଲା ରେଡ ।

୨୫ଟି ଠିକଣାରେ ଚଢାଉରୁ ମିଳିଳା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

132

କନକ ବ୍ୟୁରୋ: ପୁଣି ଟାର୍ଗେଟରେ ଡି କମ୍ପାନୀ । ଅଣ୍ଡର ୱାଲ୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀଙ୍କ ଘରେ ଆଜି ସକାଳୁ ସକାଳୁ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ମୁମ୍ବାଇର ପ୍ରାୟ ୨୫ଟି ଠିକଣା ଉପରେ ଏନଆଇଏ ଚଢାଉ କରିଛି । ବାନ୍ଦ୍ରା, ନାଗପାଡା, ବୋରିୱଲି, ଭିଲେ ପାର୍ଲେ ଓ ସାନ୍ତାକ୍ରୁଜ ଭଳି ହାଇପ୍ରୋଫାଇଲ ସ୍ଥାନରେ ଥିବା ଦାଉଦଙ୍କ ସହଯୋଗୀଙ୍କ ଠିକଣାରେ ଚଢାଉ କରିଛି ଏନଆଇଏ । ମୁଖ୍ୟତ ଦାଉଦର ସାର୍ଫସୁଟର, ଡ୍ରଗ ଟ୍ରାଫିକର, ହୱାଲା ଅପରେଟର, ରିୟଲ ଇଷ୍ଟେଟ ମ୍ୟାନେଜର ଓ ଅନ୍ୟାନ୍ୟ ପ୍ରମୁଖ ଅପରାଧୀଙ୍କ ଠିକଣା ଉପରେ ଚଢାଉ ଚାଲିଛି । ଏମାନଙ୍କ ବିରୋଧରେ ଫେବ୍ରୁଆରୀ ମାସରେ ଏନଆଇଏ ମାମଲା ରୁଜୁ କରିଥିଲା । ସେମାନଙ୍କ ମଧ୍ୟରୁ ଅନେକ ବିଦେଶୀ ଆତଙ୍କବାଦୀଙ୍କ ସହ ସାମିଲ ରହି ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ତେଣୁ ବେଆଇନ କାର୍ଯ୍ୟକଳାପ ପ୍ରିଭେନସନ ଆକ୍ଟ ବା ୟୁଏପିଏ ଉପଯୋଗ କରାଯାଇ ଏହି ମାମଲାରେ ଏଫଆଇଆର ରୁଜୁ କରାଯାଇଛି । ପାକିସ୍ତାନର କରାଚୀରେ ଲୁଚି ବସିଥିବା ଡନ ଦାଉଦ ଇବ୍ରାହିମର ଅଣ୍ଡରୱାଲ୍ଡ ନେଟୱର୍କ ସମ୍ବନ୍ଧରେ ବି ଖୋଳତାଡ କରୁଛି ଏନଆଇଏ ।