କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଏଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତି କାର ଜବତ କରାଯିବା ଘଟଣାର ଖୋଳତାଡ କରୁଛି ଏନଆଇଏ । ଏହି ମାମଲାରେ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ତାଙ୍କ ଅଡୁଆ ବଢିବାରେ ଲାଗିଛି । ବିସ୍ଫୋରକ ଭର୍ତି କାରର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ପଛରେ ସଚିନଙ୍କ ହାତ ଥିବା ନେଇ ସନ୍ଦେହ ବଢୁଛି । ଏବେ ସିସିଟିଭି ଫୁଟେଜରୁ ନୂଆ ତଥ୍ୟ ମିଳିଛି ।

Advertisment

ଏନଆଇଏକୁ ମିଳିଥିବା ସୂଚନା ଅନୁସାରେ ଫେବ୍ରୁୟାରୀ ୧୭ତାରିଖରେ ସଚିନ ୱାଜେ ଗାଡି ମାଲିକ ମନସୁଖ ହିରେନଙ୍କୁ ୧୦ ମିନିଟ ପାଇଁ ଭେଟିଥିଲେ । ସେହିଦିନ ଜିପିଓ ଫୋର୍ଟ ଠାରେ ଏକ ମର୍ସିଡିଜ ନିକଟରେ ମନସୁଖଙ୍କ ସହ ସଚିନ ୱାଜେ ୧୦ମିନିଟ ଧରି କଥା ହେଉଥିବାର ଦେଖିବାକୁ ମିଳିଛି । ଏହାପରେ ଫେବ୍ରୁୟାରୀ ୨୬ତାରିଖ ଦିନ ସଚିନ ୱାଜେ ତାଙ୍କ ନିଜ ଗାଡିରେ ମନସୁଖଙ୍କୁ ନେଇ ପଚରାଉଚରା ପାଇଁ ଆଣିଥିଲେ ।

ମନସୁଖଙ୍କ ଗାଡି ଖରାପ ଥିବା ଯୋଗୁଁ ସେ ଏକ ଓଲା କାରରେ ସଚିନ ୱାଜେଙ୍କୁ ଭେଟିବାକୁ ଯାଇଥିବା କୁହାଯାଇଛି । ଏବଂ ସେହି ଓଲା ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଇଛି । ଏହାସହ ସଚିନ ୱାଜେ ବ୍ୟବହାର କରୁଥିବା ଆଉ ଦୁଇଟି ଲଗଜୁରୀ କାର ଜବତ କରିଛି ଏନଆଇଏ । ଏହାସହ ୱାଜେଙ୍କ ମୋଟ ୫ଟି ଦାମୀ କାର ଜବତ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଜବତ ଗାଡି ମଧ୍ୟରୁ ଗୋଟିଏ ବି ଗାଡି ସଚିନ ୱାଜେଙ୍କ ନାଁରେ ନାହିଁ । ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ୧୩ତାରିଖ ଦିନ ଦୀର୍ଘ ୧୩ଘଂଟା ଧରି ଗୁଡାଇ ତୁଡାଇ ଏନଆଇଏ ଜେରା କରିବା ପରେ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ଏଂଟିଲିଆ ସମ୍ମୁଖରୁ ମିଳିଥିବା ବିସ୍ଫୋରକ ଭର୍ତି କାର ଜବତ ଘଟଣାରେ ସଚିନ ୱାଜେଙ୍କ ସମ୍ପୃକ୍ତି ରହିଥିବା ସେ ନିଜ ସ୍ୱିକାର କରିଥିଲେ ।

ଫେବ୍ରୁୟାରୀ ୨୫ତାରିଖରେ ଅମ୍ବାନୀଙ୍କ ବାସଭବନ ଏଂଟିଲିଆ ସମ୍ମୁଖରେ ଏକ ବିସ୍ଫୋରକ ଭର୍ତି କାର ଉଦ୍ଧାର କରାଯାଇଥିଲା । ଏହା ବିସ୍ଫୋରକ ଭର୍ତି କାରର ମାଲିକ ମନସୁଖ ହିରେନ ଜେରାର ସମ୍ମୁଖିନ ହୋଇଥିଲେ । ଏବଂ କିଛି ଦିନ ପରେ ରହସ୍ୟଜନକ ଭାବେ ଏକ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ମୃତକଙ୍କ ପରିବାର ସିଧାସଳଖ ସଚିନ ୱାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ସବୁଠୁ ବଡ କଥା ହେଉଛି ମହାରାଷ୍ଟ୍ର ସରକାର ସଚିନ ୱାଜେଙ୍କୁ ହିଁ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଚିନ ସେତେବେଳେ କ୍ରାଇମବ୍ରାଂଚରେ ଥିଲେ ।