କୋରାପୁଟ ବାଇପାସ ନିର୍ମାଣରେ ଜମି ଅଧିଗ୍ରହଣ କେଁ । ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଥିବା ମୂଲ୍ୟକୁ ଗ୍ରହଣ କରୁନାହିଁ ଏନଏଚଏଆଇ । ଆଗେଇ ପାରୁନାହିଁ ୭୫ କୋଟିର ପ୍ରକଳ୍ପ

164

କନକ ବ୍ୟୁରୋ: କୋରାପୁଟ ସହର ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ପୂର୍ବାପେକ୍ଷା ବଢିଯାଇଛି । ଟ୍ରାଫିକ ସମସ୍ୟା ସାଙ୍ଗକୁ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ସହରରେ ଘଣ୍ଟାଘଣ୍ଟା ଧରି ଗାଡି ଗୁଡିକ ଅଟକି ରହୁଛି । ତେଣୁ କୋରାପୁଟରେ ବାଇପାସ ରାସ୍ତା ନେଇ ଦୀର୍ଘ ଦିନ ଦାବି ହୋଇ ଆସୁଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣ ଯୋଗୁଁ ନିର୍ମାଣ କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ କାମ ବିଳମ୍ୱ ହେଉଥିଲା, ହେଲେ ଏବେ ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇଯାଉଛି । କେନ୍ଦ୍ର ରେଳମନ୍ତ୍ରୀଙ୍କ ନିର୍ଦେଶ ପରେ ରାସ୍ତା ପାଇଁ ରେଳ ବିଭାଗ ଜାଗା ହସ୍ତାନ୍ତର କରି ସାରିଥିବା ବେଳେ ଏବେ ଘରୋଇ ଜାଗା ଅଧିଗ୍ରହଣକୁ ନେଇ କେଁ ପଶିଛି ।

କୋରାପୁଟ ବାଇପାସ୍ ପାଇଁ ପ୍ରାୟ ୭୫ କୋଟି ଆକଳନ କରାଯାଇଛି । କୋରାପୁଟ ସହର ଉପକଣ୍ଠ ପାଇନ୍ ରିସର୍ଟ ନିକଟରୁ ରେଳ ଷ୍ଟେସନ ଛକ ପର୍ଯ୍ୟନ୍ତ ରହିବ ବାଇପାସ୍ ରାସ୍ତା । ଏଥିପାଇଁ କୁମ୍ଭା, କହ୍ନେଇପୁଟ ଓ କୋରାପୁଟର କିଛି ଜମି ଅଧିଗ୍ରହଣ କରାଯିବ । ଏହି ଜମିର ମୂଲ୍ୟ ନିର୍ଦ୍ଦାରଣ କରି କୋରାପୁଟ ତହସିଲ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଯାଇଛି । ହେଲେ ମୂଲ୍ୟକୁ ନେଇ ଜାତୀୟ ରାଜପଥ ବିଭାଗ ଅସହମତି ପ୍ରକାଶ କରିଛି ଫଳରେ ପ୍ରକଳ୍ପ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ଅଭିଯୋଗ ହୋଇଛି ।

କୋରାପୁଟ ଜିଲ୍ଲାପାଳ ଅବଦୁଲ୍ ଏମ ଅଖତର କହିଛନ୍ତି ଆଗକୁ ଭାରତମାଳା ପ୍ରକଳ୍ପରେ ଛତିଶଗଡ଼ରୁ ଆନ୍ଧ୍ର ଏବଂ ବିଜୁ ଏକ୍ସପ୍ରେସ ଜୟପୁରରୁ ବ୍ରହ୍ମପୁର ରାସ୍ତା କାର୍ଯ୍ୟକ୍ଷମ ହେଲେ କୋରାପୁଟ ସହରରେ ଟ୍ରାଫିକ ଯନ୍ତ୍ରଣା କମିବ । ତେବେ ଜମି ଅଧିଗ୍ରହଣ ବାବଦରେ ଆଉଥରେ ରିପୋର୍ଟ ପ୍ରଦାନ କରାଯାଇଛି ।