ସହଜ ହେବ ଓଡ଼ିଶାରୁ ଆଇଆଇଟି । ସ୍ୱପ୍ନ ପୂରଣ ପାଇଁ ସଫଳତାର ସୂତ୍ର ଶିଖାଇବ ‘ସୁପର-୩୦’

ଆନନ୍ଦ କୁମାର କହିଛନ୍ତି ଆସନ୍ତା ବର୍ଷ ଠାରୁ ଓଡିଶାରେ ‘ସୁପର-୩୦’ର ଏଂଟ୍ରାସ ଟେଷ୍ଟ ଦ୍ୱାରା ଚୟନ କରି ସେମାନଙ୍କୁ ଟ୍ରେନିଂ ଦିଆଯିବ ।

416

କନକ ବ୍ୟୁରୋ: ଆଇଆଇଟି ଯିବା ସ୍ୱପ୍ନ ହେବ ସାକାର, ଆସନ୍ତା ବର୍ଷରୁ ଆନନ୍ଦ କୁମାରଙ୍କ ସୁପର-୩୦ରେ ଚୟନ ହେବେ ଓଡ଼ିଶାର ଛାତ୍ରଛାତ୍ରୀ । ଏଭଳି କିଛି ଖୁସି ଖବର ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ‘ସୁପର-୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର । ଆନନ୍ଦ କୁମାର କହିଛନ୍ତି ଆସନ୍ତା ବର୍ଷ ଠାରୁ ଓଡିଶାରେ ‘ସୁପର-୩୦’ର ଏଂଟ୍ରାସ ଟେଷ୍ଟ ଦ୍ୱାରା ଚୟନ କରି ସେମାନଙ୍କୁ ଟ୍ରେନିଂ ଦିଆଯିବ । ଏଥିସହ ଓଡିଶାରେ ମଧ୍ୟ ସୁପର ଥାର୍ଟି ତାର ବ୍ରାଂଚ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦେବ ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଆନନ୍ଦ କୁମାର ।

ଅନ୍ୟପଟେ ‘ସୁପର-୩୦’ର ସଫଳତା ସୂତ୍ର ନେଇ କହିଛନ୍ତି କି, ପ୍ରତ୍ୟେକ ଶିକ୍ଷାର୍ଥୀ ଜୀବନରେ ପ୍ରଶ୍ନ ଖୋଜିବା ଆବଶ୍ୟକ । ଆଉ ସଫଳତାର ସିଦ୍ଧି ପାଇବାକୁ ହେଲେ କେମିତି ଓ କାହିଁକି ଏଇ ଦୁଇଟି କାରଣ ସର୍ବଦା ନିଜ ଜିଦରେ ରହିବା ଦରକାର । ଏପରିକି ଗୋଟିଏ ସାଧାରଣ ପ୍ରଶ୍ନକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଚିନ୍ତାକରି ସେଗୁଡ଼ିକ ସମାଧାନ କରିପାରିଲେ ଚିନ୍ତାଧାରାରେ ବିକାଶ ହୋଇପାରିବ । ଆଉ ତାହା ହିଁ ସଫଳତାର ମୂଳ ଚାବି କାଠି ପାଲଟିବ ବୋଲି ଗୁରୁମନ୍ତ୍ର ଦେଇଛନ୍ତି ଆନନ୍ଦ କୁମାର ।

ଗରିବ ଶ୍ରଣୀର ପରିବାରରେ ଥିବା ପ୍ରତିଭାଙ୍କୁ ବିନା ଫି’ରେ ପାଠ ପଢ଼ାଇବା ପାଇଁ ୨୦୦୨ରେ ଏକ ପରିକଳ୍ପନା କରାଯାଇଥିଲା । ଆଉ ସେତେବେଳେ ମାତ୍ର ୩୦ଜଣ ଶିକ୍ଷାର୍ଥୀଙ୍କ ପାଇଁ ରହିବା ଖାଇବା ପାଇଁ ବ୍ୟବସ୍ଥା ସମ୍ଭବ ହୋଇପାରିଲା । ଏହାର ୪ ବର୍ଷ ପରେ ଏହି ପରିକଳ୍ପନାକୁ ‘ସୁପର-୩୦’ର ନାଁ ଦିଆଗଲା । ୨୦୦୨ରୁ ଆଜି ପର୍ଯ୍ୟନ୍ତ ଏହି ସୁପର-୩୦ରୁ ଅନେକ ପ୍ରତିଭା ଦେଶ ବିଦେଶରେ ରହିଛନ୍ତି । ଏପରିକି ଗୁଗୁଲ ଠାରୁ ଆରମ୍ଭ କରି ‘ନାସା’ ଭଳି ଉଚ୍ଚ ସଂସ୍ଥାମାନଙ୍କରେ ସୁପର-୩୦ର ପ୍ରତିଭାମାନେ କାର୍ଯ୍ୟ ତୁଲାଉଛନ୍ତି । ଆଉ ସୁପର-୩୦ରେ ହିଁ ମୋ ଅଧୁରା ସ୍ୱପ୍ନ ପୂରଣ ହୋଇପାରୁଛି ବୋଲି ଭାବପ୍ରବଣ ହୋଇ କହିଛନ୍ତି ଆନନ୍ଦ କୁମାର ।

କଠିନ ଅଧ୍ୟବସାୟ ଏବଂ ଦୃଢ ଇଚ୍ଛା ଶକ୍ତି ଦ୍ୱାରା ଜଣେ ସହଜରେ ଆଇଆଇଟି ପାଇପାରିବ । ତେଣୁ ମନ ଭିତରେ ଦୃଢ ଆତ୍ମବିଶ୍ୱାସ ରହିବା ଦରକାର ବୋଲି କହିଛନ୍ତି ଆନନ୍ଦ କୁମାର । ତେବେ ଆସନ୍ତା ବର୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପରେ ଆଇଆଇଟି ଯିବାକୁ ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପିଲାମାନଙ୍କୁ ସୁପର-୩୦ରେ ସୁଯୋଗ ଦେବେ ଆନନ୍ଦ କୁମାର । ଓଡିଶାରେ ବି ଖୋଲିବ ସୁପର ଥାର୍ଟି । ଆଗାମୀ ବର୍ଷ ଠାରୁ ଓଡିଶାରେ ଆଇଆଇଟି ଏଂଟ୍ରାସ ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ସୁପରଥାର୍ଟିରେ ପ୍ରଶିକ୍ଷଣ ନେଇପାରିବେ ବୋଲି କହିଛନ୍ତି ଆନନ୍ଦ କୁମାର ।

ଅନ୍ୟପଟେ ନିକଟରେ ଆନନ୍ଦ କୁମାରଙ୍କୁ ନେଇ ନିର୍ମିତ ଫିଲ୍ମ ସୁପର ଥାର୍ଟି ବକ୍ସ ଅଫିସରେ ଭଲ ବିଜନେସ କରିଛି । ଓଡିଶା ଗସ୍ତ ସମୟରେ ଆନନ୍ଦ କୁମାର କିଛି ଗରିବ ପିଲାଙ୍କ ସହିତ ଏହି ସିନେମା ଦେଖିବାର ସୁଯୋଗ ପାଇଥିବାରୁ ଖୁସି ଅନୁଭବ କରିଛନ୍ତି ।