ଆସନ୍ତା ୨ ଦିନ ଘନ କୁହୁଡ଼ି ! ୧୭ରୁ ଶୀତ ବଢ଼ିବ…୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ

66

କନକ ବ୍ୟୁରୋ: ରାଜ୍ୟରେ ଏବେ ଶୀତର ପ୍ରକୋପ ଟିକେ କମିଛି। ୧୦ ଡିଗ୍ରି ତଳକୁ ରାଜ୍ୟର ମାତ୍ର ଗୋଟିଏ ସ୍ଥାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୫ ଡିଗ୍ରି ମଧ୍ୟରେ ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ ଡିଗ୍ରି ମଧ୍ୟରେ ରହିଛି। ଆସନ୍ତା ୧୬ ତାରିଖ ଦିନ ଉତ୍ତର ପଶ୍ଚିମ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାର ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ। ଫଳରେ ୧୬ ତାରିଖ ଆଡ଼କୁ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ବଢ଼ିବ ଓ ଶୀତ କମିବ। ତେବେ ୧୭ ତାରିଖରୁ ରାଜ୍ୟରେ ପାରଦସ୍ତର ପୁଣି ଖସିବା ଆରମ୍ଭ କରିବ। ଫଳରେ ୧୭ ପରେ ରାଜ୍ୟରେ ପୁଣି ଥରେ ଶୀତ ଆରମ୍ଭ ହୋଇଯିବ ଓ କୁହୁଡ଼ି ବି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ବିଶେଷ କରି ଉପକୂଳ ଓଡ଼ିଶା ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ପଡ଼ିବ। ଆସନ୍ତାକାଲି ସକାଳୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, ଖୋର୍ଧା, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳର ସମସ୍ତ ଜିଲ୍ଲା ସହ ଆଭ୍ୟନ୍ତରର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

କେନ୍ଦ୍ର ଆହୁରି କହିଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଆଡ଼କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଆଂଶିକ ମେଘୁଆ ରହିବ। ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୫ ଓ ୧୬ ତାରିଖ ଆଡ଼କୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଯୋଗୁଁ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ବଢ଼ିବ ଓ ଶୀତ ସାମାନ୍ୟ କମିବ ବୋଲି ଜଣାପଡ଼ିଛି। କିନ୍ତୁ ମେଘୁଆ ପାଗ ଯୋଗୁଁ ସେହି ସମୟରେ ଦିନ ତାପମାତ୍ରା କମିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।