ରାଜ୍ୟରେ ଏବେ ସକ୍ରିୟ ହେଉଛି କାଳବୈଶାଖୀ ବର୍ଷା। ଏଣୁ ଆସନ୍ତା ୪ ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ଫଳରେ ରାଜ୍ୟରେ ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ। ଓଲଟା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପାମତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ଆଜି ଅପରାହ୍‌ଣରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଣୁ ଆସନ୍ତା ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisment

ଆଜି ରାଜ୍ୟର ୧୦ ଜିଲ୍ଲାରେ ଖୁବ୍‌ ଜୋରରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବ। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ସେହିପରି ୩୧ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ୧ ତାରିଖ ଦିନ ରାଜ୍ୟର ୧୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ୩ ଜିଲ୍ଲା ପ୍ରବଳ ବର୍ଷା ହେବ। ସେ ଦିନ ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷିବା ସହ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼, ସମ୍ବଲପୁର, ଅନୁଗୁଳ ଓ ଝାରସୁଗୁଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ‌ବର୍ଷା ହେବ।

ସେହିଭଳି ୨ ତାରିଖ ଦିନ ମଧ୍ୟ ରାଜ୍ୟର କିଛି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଏବ ଗରମ ଓ ଗୁଳୁଗୁଳି ଅଧିକ ରହିଥିବା ବେଳେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କେନ୍ଦ୍ର କହିଛି।