କର୍ଣ୍ଣାଟକରେ କିଏ ହେବେ ୟେଦିୟୁରପ୍ପାଙ୍କ ବିକଳ୍ପ ? ଆଜି ସଂଧ୍ୟା ୫ଟା ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି 

73

କନକ ବ୍ୟୁରୋ : ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କିଏ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ? ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି କିଶନ ରେଡ୍ଡୀଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ପର୍ଯ୍ୟବେକ୍ଷକଙ୍କ ନେତୃତ୍ୱରେ ଆଜି ସଂଧ୍ୟା ୫ଟାରେ ବେଙ୍ଗାଳୁରୁରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରେ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବି. ଏସ୍ ୟେଦିୟେରପ୍ପା  ।  ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ୭ ଜଣଙ୍କ ନାଁ ରହିଛି । ଆଗରେ ଅଛନ୍ତି ୟେଦିୟୁରପ୍ପାଙ୍କ କ୍ୟାବିନେଟରେ ଖଣି ଓ ଭୂତତ୍ୱ ମନ୍ତ୍ରୀ ଥିବା ମୁରୁଗେଶ ନିରନି ।

୫୬ ବର୍ଷୀୟ ମୁରୁଗେଶ ୨୫ ତାରିଖରେ ଦିଲ୍ଲୀରେ ଥିଲେ ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ । ତେଣୁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି  । କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ବରିଷ୍ଠ ବିଜେପି ନେତା ପ୍ରହ୍ଲାଦ ଯୋଶୀ ୨୦୦୪ ଧାରୱାଡା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି  । ୧୯୮୮ରୁ କର୍ଣ୍ଣାଟକରେ କେହି ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇନଥିବାରୁ ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି  । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଏବଂ ଚିକମଗାଲୁର ନିର୍ବାଚନମଣ୍ଡଳୀରୁ ୪ ଥର ବିଧାୟକ ଥିବା ସିଟି ରବିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ପୂର୍ବରୁ ସେ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ବସଭରାଜ ବୋମ୍ମାଇ ।

ୟେଦିୟେରପ୍ପା କ୍ୟାବିନେଟରେ ଗୃହମନ୍ତ୍ରୀ ଥିଲେ  । ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର୍ ବୋମ୍ମାଇଙ୍କ ପୁଅ  । ଅନ୍ୟ ଜଣେ ଲିଙ୍ଗାୟତ ନେତା ହେଉଛନ୍ତି ଅରବିନ୍ଦ ବେଲ୍ଲାଡ । ହୁବଲି-ଧାରୱଡରୁ ୨ ଥର ବିଧାୟକ  । ସେ ମଧ୍ୟ ବରିଷ୍ଠ ଆରଏସଏସ ନେତା ଚନ୍ଦ୍ରକାନ୍ତ ବେଲ୍ଲାଡଙ୍କ ପୁଅ  । ତେଣୁ ତାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛି  । ଏହା ବାଦ୍ ଜଗଦୀଶ ଶେଟ୍ଟାରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଜଗଦୀଶ ମଧ୍ୟ ୟେଦୁୟେରୁପ୍ପା କ୍ୟାବିନେଟର ମନ୍ତ୍ରୀ ଥିଲେ । ସେ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର  । ସେହିପରି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ମଧ୍ୟ ୟେଦିୟୁରପ୍ପାଙ୍କ ବିକଳ୍ପ ହୋଇପାରନ୍ତି । ଜଣେ ଆରଏସଏସ ପ୍ରଚାରକ ଭାବେ ସେ ୧୯୯୩ରୁ ବଜେପି ସହ ଅଛନ୍ତି  । ୨୦୦୬ରେ ସେ ବିଜେପିର କର୍ଣ୍ଣାଟକ ସାଧାରଣ ସମ୍ପାଦକ ହୋଇଥିଲେ  ।