ଖବରକାଗଜ ପାଇଁ …ସରକାରୀ ଚାକିରିକୁ ଚାହିଁଲେନି, ନିଜ ବୃତ୍ତି ପାଇଁ ସଭିଙ୍କ ପ୍ରିୟ ଦିଲ୍ଲୀପ

254

କନକ ବ୍ୟୁରୋ: ନାଁ ଦିଲ୍ଲୀପ ମହାନ୍ତି । ବୟସ ପାଖାପାଖି ୬୨ । ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକୋତ୍ତର । ପେଶା ଖବର କାଗଜ ବିତରଣ ।

ଫୁଲବାଣୀ ସହର କେନ୍ଦୁପଦର ସାହିର ଦିଲ୍ଲୀପ ମହାନ୍ତି ଚାହିଁଥିଲେ ସରକାରୀ ଚାକିରି କରିପାରିଥାନ୍ତେ । ଉଚ୍ଚଶିକ୍ଷିତ ହୋଇଥିବାରୁ କୌଣସି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିଥାନ୍ତେ । ହେଲେ ଏଥିରେ ତାଙ୍କର ଆଗ୍ରହ ନଥିଲା । କାରଣ ତାଙ୍କରଖବର କାଗଜ ପଢିବା ତାଙ୍କର ନିଶା ଥିଲା ଯାହାକୁ ସେ ପେଶା ଭାବରେ ଗ୍ରହଣ କରିନେଲେ, ।ଏହି ବୃତ୍ତିକୁ ନେଇ ଏବେ ସାରା ସହରରେ ସେ ସୃଷ୍ଟି କରିପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ , ସାଉଁଟିଛନ୍ତି ଅନେକ ପ୍ରଶଂସା ।

ଛାତ୍ରାବସ୍ଥାରୁ ଖବରକାଗଜ ଓ ପତ୍ରିକା ଆଦି ପଢିବାରେ ଥିଲା ତାଙ୍କ ପ୍ରବଳ ଆଗ୍ରହ । ପାଠ ପଢା ସାଙ୍ଗକୁ ଏକାଧିକ ଖବରକାଗଜ ପଢିବାରେ ଘଣ୍ଟା ଘଣ୍ଟା ସମୟ କଟାଉଥିଲେ । ଏହି ନିଶା ତାଙ୍କର ପରବର୍ତ୍ତୀ ସମୟରେ ପେଶାରେ ବଦଳିଗଲା । ସରକାରୀ ଚାକିରୀ ପାଇଁ ଅନେକ ସୁଯୋଗ ତାଙ୍କ ପାଖରେ ଥିଲେ ବି ଏହା ପ୍ରତି ଦୃଷ୍ଟି ଦେଲେନାହିଁ । ବରଂ ଖବରକାଗଜର ନିଶାକୁ ପେଶା ଭାବେ ଗ୍ରହଣ କରିନେଲେ । ଘର ସଂସାରର ଦାୟିତ୍ୱ ପଡିବା ପରେ ବି କୌଣସି ଚାକିରୀ ନକରି ଖବରକାଗଜ ବ୍ୟବସାୟ ପ୍ରତି ମନ ବଳାଇଲେ । ଓଡିଆ, ଇଂରାଜୀ ପେପର ଠାରୁ ଆରମ୍ଭ କରି ଇଂରାଜୀ ପେପର ଓ ବିଭିନ୍ନ ମାଗାଜିନ୍ ଓ କରେଣ୍ଟ ଅଫେୟାର୍ସ ବହି ବିତରଣ କରି ଭଲ ଦି ପଇସା ରୋଜଗାର କଲେ ।

ଖବରକାଗଜ ବିତରଣ ତାଙ୍କ ପାଇଁ ଏକ ବୃତ୍ତି ନୁହେଁ ବରଂ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାର ଏକ ଭଲ ମାଧ୍ୟମ ବୋଲି କୁହନ୍ତି ଦିଲ୍ଲୀପ ।ଏବେ ତାଙ୍କ ଅଧିନରେ ୩/୪ ଜଣ ଏଜେଣ୍ଟ କାମ କରି ସ୍ୱାବଲମ୍ବୀ ହୋଇଛନ୍ତି । ନ୍ୟୁଜ ପେପର ବ୍ୟବସାୟ ତାଙ୍କ ପରିବାର ଚଳାଇବା ସହ ତାଙ୍କୁ ଆତ୍ମସନ୍ତୁଷ୍ଟି ଦେଇଛି ।

ପ୍ରଥମେ ଯଦିଓ ତାଙ୍କର ଏପରି ନିଷ୍ପତ୍ତି ଏତେଟା ସହଜ ନଥିଲା କିନ୍ତୁ ସହରର କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗ ଦିଲ୍ଲୀପ ବାବୁଙ୍କୁ ଏଦିଗରେ ଆଗେଇ ନେଲା । କ୍ରମେ ପରିବାର ଲୋକେ ତାଙ୍କର ଏହି କାମରେ ସହଯୋଗ କରିଥିଲେ । ତେବେ ଦିଲ୍ଲୀପ ବାବୁଙ୍କ ସରଳ ଓ ସ୍ୱାଭିମାନୀ ଆଚରଣ ଯୋଗୁଁ ସ୍ଥାନୀୟ ଲୋକଙ୍କର ଅତି ପ୍ରିୟ ।

ଉଚ୍ଚଶିକ୍ଷିତ ହେବା ମାନେ ନୁହେଁ ଚାକିରି ପଛରେ ଗୋଡାଇବା । ବରଂ ନିଜ ଇଚ୍ଛାରେ ସ୍ୱାବଲମ୍ବୀ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀପ ମହାନ୍ତି ।