କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ଯାଜପୁର ନିର୍ବାଚନ ମଣ୍ଡଳୀକୁ ରାଜ୍ୟସଭା ସାଂସଦଙ୍କ ଅନୁଦାନ ପାଣ୍ଠିରୁ କୋଟି କୋଟି ଟଙ୍କା ଦିଆଯାଇଥିବା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଯାଜପୁର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ରାଜ୍ୟ ରାଜକୋଷ ଖୋଲିଦେଇଥିଲେ ନବୀନ ସରକାର।

  • ଯାଜପୁରକୁ ଦରଦ
  • ଭଣ୍ଡାର ଖୋଲି ଦେଇଥିଲେ ନବୀନ ସରକାର
  • ଟେକି ଦେଇଥିଲେ ହଜାର ହଜାର କୋଟି

ସ୍ୱଚ୍ଛ ଓ ସବୁ ଅଞ୍ଚଳକୁ ଗୁରୁତ୍ୱ ଦେଉଥିବା ସରକାରର ଅସଲ ଚେହେରା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ବିଜେଡି ସରକାର ଅମଳରେ ପ୍ରଭାବଶାଳୀ ନେତା ବବି ଦାସଙ୍କୁ ସନ୍ତୁଷ୍ଟ କରିବାକୁ ଅଜାଡ଼ି ଦେଇଥିଲେ ରାଜକୋଷ। ସରକାରଙ୍କ ତହବିଲରୁ କୋଟିଏ କି ଦୁଇ କୋଟି ନୁହେଁ, ୩ହଜାର ୭୪ କୋଟି ଟଙ୍କାର ବଡ଼ ଅନୁଦାନ ଦେଇଥିଲେ ତତ୍କାଳୀନ ନବୀନ ସରକାର। 
ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାକୁ ଅଧିକ ଅନୁଦାନ ମିଳିଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେତେବେଳର ବିଜେଡିର ଅନ୍ୟତମ ପାୱାରଫୁଲ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା । ବିଧାନସଭାରେ ବଡ଼ଚଣାର ବିଜେପି ବିଧାୟକ ଅମର ନାୟକ ଏକ ପ୍ରଶ୍ନ କରିଥିଲେ, ବିଗତ ୩ ବର୍ଷରେ ଯାଜପୁର ଜିଲ୍ଲାକୁ କେତେ ଅନୁଦାନ ଆସିଛି। ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତିନି ବର୍ଷରେ ୩,୦୭୪ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ୨୦୨୧-୨୨ରେ ୪୪୫ କୋଟି, ୨୦୨୨-୨୩ରେ ୧୩୫୦ କୋଟି ଏବଂ ୨୦୨୩-୨୪ରେ ୧୨୭୯ କୋଟି ଟଙ୍କା ଦିଆଯାଇଛି।

  • ଅନୁଦାନକୁ ନେଇ ତେଜିଲା ରାଜନୀତି
  • ବିଜେଡି-ବିଜେପି ବୟାନବାଜି

କାହିଁକି ଯାଜପୁରକୁ ଏତେ ଦରଦ ଦେଖାଇଥିଲେ ନବୀନ ପଟ୍ଟନାୟକ। ଯେଉଁ ଟଙ୍କା ଅନୁମୋଦନ ହୋଇଥିଲା, ତାହା ଠିକ୍ ଭାବେ ଖର୍ଚ୍ଚ ହୋଇଛି ତ? କେଉଁ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଏହି ସବୁ ପ୍ରଶ୍ନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଫଣ୍ଡରୁ ବିଭିନ୍ନ ଜିଲ୍ଲାକୁ ଅନୁଦାନ ଦେଇଥାନ୍ତି। ହେଲେ ଯାଜପୁରକୁ ଏତେ ଟଙ୍କା ଦେବା ନେଇ ପ୍ରଶ୍ନ ଉଠିଛି। ଯାଜପୁର ପ୍ରତି ଦରଦ ଥିଲା ନା କାର୍ପଟଦାର ଗୋଷ୍ଠୀଙ୍କୁ ଖୁସି କରିବା ପାଇଁ ଭଣ୍ଡାର ଖୋଲିଥିଲେ ନବୀନ।