କନକବ୍ୟୁରୋ: ପାଞ୍ଜିରେ ଦିଆଯାଇଥିବା ଦୀପାବଳି ତିଥି ଓ ଲଗ୍ନକୁ ନେଇ ସୃଷ୍ଟି ହୋଇଛି ଏଭଳି ଦ୍ବନ୍ଦ୍ବ । ବିରଜା ପାଞ୍ଜିକୁ ମାନୁଥିବା ଜିଲ୍ଲାଗୁଡିକରେ ଆଜି ଦୀପାବଳି ପାଳନ ହୋଇଥିବାବେଳେ କୋହେନୂର ଓ ଖଡୀରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକରେ ଆସନ୍ତାକାଲି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚାଲିଛି । କୋହେନୂର ଓ ଖଡୀରତ୍ନ ପାଞ୍ଜିରେ ଉଲ୍ଲେଖ ରହିଛି ଯେ, ଅମାବାସ୍ୟା ମଧ୍ୟରାତ୍ରି ପରେ ଆସୁଛି। ମଧ୍ୟ ରାତ୍ରି ପରେ ଅମାବାସ୍ୟା ଆସୁଥିବାରୁ ଆସନ୍ତାକାଲି ଦୀପାବଳି ପାଳନ । 

Advertisment

ହେଲେ କାଳିପୂଜା ଆଜିଠାରୁ ଆରମ୍ଭ ହେବ ବୋଲି ଲେଖା ଯାଇଛି  । କିନ୍ତୁ ବିରଜା ପାଞ୍ଜି ଅନୁସାରେ ଆଜି ପ୍ରୟା ଶ୍ରାଦ୍ଧ ଓ ଦୀପୋତ୍ସବ ପାଳନ କରାଯାଉଛି । ସେହିପରି ଆଜି ମଧ୍ୟରାତ୍ରୀରୁ କାଳିପୂଜା କରିବାର ବିଧି ରହିଛି  । ଦୁଇ ଦିନିଆ ଦୀପାବଳି ପାଳନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି ପାଳନ ହେଉଥିଲେ ବି ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ସିଂହଦ୍ବାର ସମ୍ମୁଖରେ ଦୀପ ଦାନ କରିବା ସହ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଛି  ।  

କେବଳ ଏହି ଦୀପାବଳି ନୁହେଁ ପୂର୍ବରୁ କୁମାର ପୂର୍ଣ୍ଣିମା, ଅନନ୍ତବ୍ରତ ଭଳି ଅନେକ ପର୍ବ ପାଳନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।  ତେଣୁ ଏଭଳି ଦ୍ବନ୍ଦ୍ବକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ଓ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଛି  ।  ପ୍ରଶ୍ନ ଉଠୁଛି, କେଉଁ ପଞ୍ଜିକା ଗଣନା ଠିକ୍? କେଉଁ ପାଞ୍ଜିକୁ ଲୋକେ ଅନୁସରଣ କରିବେ? କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡିତ ପଞ୍ଜିକାର ପ୍ରକାଶନ ପାଇଁ କାହିଁକି ହେଉନି ନିୟମ?