କନକ ବ୍ୟୁରୋ: ସରିଲା ଦୁର୍ଗାପୂଜା । ନବରାତ୍ର, ଦାଣ୍ଡିଆ ନାଚ ଓ ରାବଣପୋଡ଼ି ପରେ ଆଜି ମା’ଙ୍କୁ ମେଲାଣି ଦିଆଯାଉଛି । ଟୁଇନ ସିଟି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଧୁମଧାମରେ ମା’ଙ୍କୁ ବିଦାୟ ଦିଆଯାଉଛି । ବିନା ଡିଜେ ଓ ରୋଷଣିରେ ଭସାଣ ଉତ୍ସବ ପାଳନ କରାଯାଉଛି । ସେପଟେ କେନ୍ଦ୍ରାପଡ଼ା ରାଜନଗରରେ ନିଆରା ଶୈଳୀରେ ଡଙ୍ଗା ଉପରେ ଅନୁଷ୍ଠିତ ହୋଇଛି ଭସାଣ ।

Advertisment

ଆଜି ମେଲାଣି ନେଉଛନ୍ତି ଜଗତଜନନୀ ମା' ଦୁର୍ଗା। ଢୋଲ, ବାଜା, ବାଣରେ କମ୍ପୁଛି ରାଜଧାନୀ। ପଛକୁ ପଛ ଲାଗିଛି ମେଢ଼ । ପୂଜା କମିଟି ଗୁଡିକର ଭିନ୍ନ ଭିନ୍ନ ମେଢ ଦେଖିବାକୁ ପ୍ରବଳ ଜନସମାଗମ ହୋଇଛି । ଭୁବନେଶ୍ବରରେ ମା'ଙ୍କ ବିଦାୟ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୪ଟି ଭସାଣି କମିଟିରୁ ଭୁବନେଶ୍ବରରେ ଭସାଣି ଉତ୍ସବ ପାଳନ ହେଉଛି। । ସହିଦ ନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଏବଂ ଓଲ୍‌ଡ ଟାଉନରେ ଭସାଣ ଉତ୍ସବ ପାଳନ କରାଯାଉଛି । ଲୋକଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ଅପରାହ୍ଣ ୨ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଜାରି ହୋଇଛି ଟ୍ରାଫିକ କଟକଣା । 

କଟକ ଭସାଣିରେ ସାମିଲ ହୋଇଛି ଶତାଧିକ ମେଢ଼ । ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ଉଭୟ ଭୁବନେଶ୍ବର ଓ କଟକରେ ଡିଜେକୁ ବାରଣ କରାଯାଇଛି । ବିଭିନ୍ନ ପ୍ରକାରର ବାଜା, ଢୋଲ, ଘଣ୍ଟ ମାଡରେ ସିଲଭର ସିଟିରେ ପାଳନ ହେଉଛି ଭସାଣ ଉତ୍ସବ।  ପ୍ରଥମ ଥର ପାଇଁ ଶୋଭାଯାତ୍ରା ଉପରେ ନଜର ରଖିଛି ଡ୍ରୋନ୍‌ । ୫୦୦ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଛି।  ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ପରିଚାଳନା କରୁଛି ପୁଲିସ ।  କଟକରେ ୧୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ସେପଟେ କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ନିଆରା ଭସାଣିର ଦୃଶ୍ୟ । ଡଙ୍ଗାରେ ଶୋଭାଯାତ୍ରା କରି ମା’ଙ୍କୁ ମେଲାଣି ଦିଆଯାଇଛି । ଭିନ୍ନ ପରମ୍ପରା ଅନୁଯାୟୀ ନଦୀ ମଝିରେ ଚାପ ଖେଳ ପରେ ମା’ଙ୍କୁ ମେଲାଣି ଦେଇଛନ୍ତି ଶ୍ରଦ୍ଧାଳୁ । 

କଟକ, ଭୁବନେଶ୍ବରରେ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ କୁଆଖାଇ ନଦୀ ପଠାରେ ଅସ୍ଥାୟୀ ପୋଖରୀ ଖେଳାଯାଇଥିବା ବେଳେ କଟକରେ ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି ।