କନକ ବ୍ୟୁରୋ : ବିକାଶ ଜିତିଲା, ସୁଶାସନ ଜିତିଲା । ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ସୂଚାଉଛି ବିକାଶର ଯେଉଁ ନକ୍ସା ବିଜେପି ଆଙ୍କିଥିଲା, ସେଥିରେ ମୋହର ମାରିଛନ୍ତି ଦିଲ୍ଲୀବାସୀ । ବିଜେପିର ବିଜୟ ତାଲିକାରେ ଯୋଡି ହୋଇଛି ଦିଲ୍ଲୀର ନାଁ । ଆପର ବିଜୟ ରଥରେ ବ୍ରେକ ଦେଇଛି ବିଜେପି । ଝାଡୁକୁ ପର କରି, ପଦ୍ମକୁ ଆଦରି ନେଇଛନ୍ତି ଦିଲ୍ଲୀବାସୀ । ଏହାସହ ଦୀର୍ଘ ୨୭ ବର୍ଷ ପରେ ପୁଣିଥରେ ଜାତୀୟ ରାଜଧାନୀରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ ବିଜେପିର ଏହି ଦିଲ୍ଲୀ ଦଖଲ ଅଭିଯାନ ପଛରେ ଅନେକ ଗୁଡିଏ ଫ୍ୟାକ୍ଟର କାମ କରିଛି । ଖାସକରି ବିଜେପିର ଶୀର୍ଷ ନେତୃତ୍ବଙ୍କ ପ୍ରଚାର ଓ ମୋଦୀ ଗ୍ୟାରେଣ୍ଟିକୁ ଭରସିଛନ୍ତି ଦିଲ୍ଲୀବାସୀ ।
କେମିତି ଜିତିଲା ବିଜେପି?
- ବିଜେପିର ପ୍ରତିଶ୍ରୁତି ଲୋକଙ୍କ ମନକୁ ଛୁଇଁଲା
- ମହିଳାଙ୍କୁ ୨୫୦୦ ଟଙ୍କା ଦେବା ପ୍ରତିଶ୍ରୁତି ବିଜେପି ପାଇଁ ପାଲଟିଲା ମାଷ୍ଟରଷ୍ଟ୍ରୋକ୍
- ଆଗୁଆ ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜି ବେଶ୍ ସହାୟକ ସାଜିଲା
- ମଧ୍ୟବିତ୍ତଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହେଲା ଦଳ
ବିଜେପି କେବଳ ଭୋଟରଙ୍କ ଭରସା ଜିତିନି ବରଂ ବିରୋଧୀଙ୍କ ଠାରୁ ମୁହଁ ଫେରାଇ ନେଇଛନ୍ତି ଦିଲ୍ଲୀବାସୀ । ଯାହା ବିଜେପିର ଦିଲ୍ଲୀ ବିଜୟର ବଡ କାରଣ ବୋଲି କୁହାଯାଉଛି ।
- ସରକାରବିରୋଧୀ ହାୱାର ଫାଇଦା ଉଠାଇଲା ବିଜେପି
- କେଜ୍ରିୱାଲଙ୍କ ଦେହରେ ଦୁର୍ନୀତିର ଦାଗ ଲାଗିବା ବିଜେପିକୁ ସୁହାଇଲା
- ଯମୁନା ସଫେଇ ପ୍ରସଙ୍ଗ ବିଜେପିକୁ କମବ୍ୟାକ୍ କରିବାକୁ ସୁଯୋଗ ଦେଲା
- ଆପର ଅତ୍ୟଧିକ ଆତ୍ମବିଶ୍ବାସ ବିଜେପି ପାଇଁ ଆଶୀର୍ବାଦ ପାଲଟିଲା
- ଆପ୍-କଂଗ୍ରେସ ମିଳିତ ଭାବେ ନଲଢ଼ିବା ବିଜେପିର ବିଜୟକୁ ସହଜ କଲା
୨୭ ବର୍ଷ ପରେ ବିଜେପି ସରକାରକୁ ଫେରିଛି । ବିଜେପି ସରକାର ଠାରୁ ଅନେକ କିଛି ଆଶା ରଖିଛନ୍ତି ଦିଲ୍ଲୀବାସୀ । ଡବଲ ଇଞ୍ଜିନ ସରକାର ଆସିଥିବାରୁ ଏବେ ଦୁଇଗୁଣା ବିକାଶ ଅପେକ୍ଷାରେ ରହିବେ ଦିଲ୍ଲୀବାସୀ ।