କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଋଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ୍‌ ଗସ୍ତରେ ଯିବେ ମୋଦୀ । ଅକ୍ଟୋବର ୨୨ରୁ ୨୩ ପର୍ଯ୍ୟନ୍ତ ରୁଷରେ ରହିବେ । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରୁଛନ୍ତି । ଏଥର ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷ୍ ଅଧ୍ୟକ୍ଷତା କରୁଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମୋଦୀଙ୍କ ରୁଷ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିପକ୍ଷ ଏବଂ ଆମନ୍ତ୍ରିତ ନେତାମାନଙ୍କ ସହ କାଜାନରେ ଦ୍ୱିପାକ୍ଷିକ ବୈଠକ କରିବେ । ଚଳିତ ବର୍ଷ ବ୍ରିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ବିଶ୍ୱ ବିକାଶ ଓ ନିରାପତ୍ତା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା’। ଏହି ସମ୍ମିଳନୀ ନେତାମାନଙ୍କୁ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ଶିଖର ସମ୍ମିଳନୀ ବ୍ରିକ୍ସ ଦ୍ୱାରା ନିଆଯାଇଥିବା ପଦକ୍ଷେପର ଅଗ୍ରଗତି  ଆକଳନ କରିବ ଏବଂ ଭବିଷ୍ୟତରେ ସହଯୋଗ ପାଇଁ ସମ୍ଭାବ୍ୟ କ୍ଷେତ୍ରଚିହ୍ନଟ କରିବାପାଇଁ ଏକ  ସୁଯୋଗ ପ୍ରଦାନ କରିବ । ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଉପସ୍ଥିତ ରହିବେ । ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବାର ସମ୍ଭାବନା ରହିଛି ।